ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET UG) 2025 ପଞ୍ଜିକରଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ଏବଂ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ସେମାନେ NTA NEET ର ଅଫିସିଆଲ୍ ୱେବସାଇଟ୍ neet.nta.nic.in କୁ ଯାଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଯାଞ୍ଚ କରିପାରିବେ ।
NEET UG ପଞ୍ଜିକରଣର ଶେଷ ତାରିଖ ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ NTA ଏହାର ଅଫିସିଆଲ୍ ୱେବସାଇଟରେ ଏକ ନୋଟିଫିକେସନ ଜାରି କରିଛି । ଶେଷ ତାରିଖକୁ ଅପେକ୍ଷା କରିବା ପରିବର୍ତ୍ତେ ଯଥାଶୀଘ୍ର ପଞ୍ଜୀକରଣ କରିବାକୁ NTA ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛି । ଯାହାଫଳରେ ଶେଷ ତାରିଖରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏକସଙ୍ଗେ ପଞ୍ଜିକରଣ କରୁଥିବାରୁ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି ।
ମାର୍ଚ୍ଚ 7 ଶେଷ ତାରିଖ- NEET UG 2025 ପଞ୍ଜିକରଣ ପାଇଁ NTA ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ମାସର ସମୟ ଦେଇଛି । ଅନଲାଇନ୍ ପଞ୍ଜୀକରଣ ୭ ଫେବୃଆରୀ ୨୦୨୫ ରୁ ଆରମ୍ଭ ହୋଇଛି, ଯାହା ୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଆବେଦନ ୱିଣ୍ଡୋ ବନ୍ଦ ହେବା ପରେ, NTA ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ 9 ରୁ 11 ମଧ୍ୟରେ ସେମାନଙ୍କର ଫର୍ମ ସଂଶୋଧନ କରିବାକୁ ଅନୁମତି ଦେବ ।
ଆବେଦନ ଫି- NEET UG ପାଇଁ ଆବେଦନ ଫିସ୍ ସାଧାରଣ ବର୍ଗ ପାଇଁ 1,700 ଟଙ୍କା, OBC-NCL ଏବଂ General-EWS ପାଇଁ 1,600 ଏବଂ SC, ST, PwBD ଏବଂ ତୃତୀୟ ଲିଙ୍ଗ ବର୍ଗ ପ୍ରାର୍ଥୀଙ୍କ ପାଇଁ 1,000 ଅଟେ। ବିଦେଶୀ ଛାତ୍ରମାନଙ୍କୁ ₹9,500 ଆବେଦନ ଫି ଦେବାକୁ ପଡିବ ।
ପ୍ରାର୍ଥୀମାନଙ୍କ ପାଇଁ ଯେକୌଣସି ସ୍ପଷ୍ଟୀକରଣ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । କୌଣସି ସମସ୍ୟା ପାଇଁ ପ୍ରାର୍ଥୀମାନେ NTA ହେଲପଡେସ୍କକୁ 011-40759000, 011-69227700 ରେ ଯୋଗାଯୋଗ କରିପାରିବେ କିମ୍ବା [email protected] ରେ ଇମେଲ୍ କରିପାରିବେ ।