IND vs AUS: ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଅତିରିକ୍ତ ଚାପ ନାହିଁ କହିଲେ ରୋହିତ

ଚାମ୍ପିଅନ୍ସ ଟ୍ରଫି । ଭାରତ ପାଇଁ ଅଷ୍ଟ୍ରେଲିଆ ଆହ୍ବାନ ।

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ସହିତ ଭେଟିବ ଷ୍ଟିଭେନ ସ୍ମିଥଙ୍କ କଙ୍ଗାରୁ ଦଳ । ଯେତେବେଳେ ବି ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆ ସାମ୍ନାକୁ ଆସେ, ମ୍ୟାଚ୍ ବହୁତ ଆକର୍ଷଣୀୟ ଏବଂ କଠିନ ହୋଇଯାଏ ।

ବିଗତ ଦୁଇ ଆଇସିସି ଇଭେଣ୍ଟ 2023 ଦିନିକିଆ ବିଶ୍ବକପ୍ ଫାଇନାଲ ଏବଂ 2024 ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତୀୟ ଦଳକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଏହି ଧାରାକୁ ଆଗକୁ ବଢାଇବ ନା ଭାରତୀୟ ଟିମ୍ ସାମ୍ନାରେ ଧୂଳି ଚାଟିଯିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଗତ ଦେଢବର୍ଷ ଧରି ଭାରତ ଏହି ପରାଜୟର ଦୁଃଖରୁ ବାହାରିପାରି ନାହିଁ । ଏବେ ପୁଣି ସମୟ ଆସିଛି ।

ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ ବାଜି ଜିତିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ଦିନ 2ଟା 30ରେ ମ୍ୟାଚ ରହିଥିବା ବେଳେ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ଭାରତ ଉପରେ ଅତିରିକ୍ତ ଚାପ ନାହିଁ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ଉଭୟ ଦଳ ଉପରେ ବିଜୟର ଚାପ ରହିବ ବୋଲି ସେ କହିଛନ୍ତି ।