“ଆଜି ଆନ୍ଦୋଳନରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ”

କାହାରିକୁ ଛଡାଯିବ ନାହିଁ। ଖୋଜି ଖୋଜି ସମସ୍ତଙ୍କୁ ଗିରଫ କରାଯିବ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କହିଥିଲେ, ମାତ୍ର ତାହା ହେଲାନି ; ଅତିରିକ୍ତ ସିପି

ଭୁବନେଶ୍ୱର: ଆଜି ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ଜନ ସମୂଦ୍ର। କଂଗ୍ରେସର ଆନ୍ଦୋଳନ ପ୍ରଥମରୁ ପ୍ରାୟ ଶାନ୍ତ ଥିଲା। ହେଲେ ସମୟ ଗଡିବା ବେଳକୁ ଉଗ୍ର ରୂପ ଧାରଣ କଲେ କର୍ମୀ।

ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ଉପରକୁ କଲେ ଅତର୍କିତ ଆକ୍ରମଣ। ଢେଲା ପଥର ସହ ଚେୟାର ଫୋପାଡିଲେ। ଯେଉଁଥିରେ ପୋଲିସ କର୍ମଚାରୀଙ୍କ ସମେତ କଂଗ୍ରେସ ନେତା ବି ଆହତ ହୋଇଛନ୍ତି। କିଛି ଜଣଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ, ଆଉ କିଛି ଜଣଙ୍କ ଦେହରେ ଗଭୀର ଆଘାତ ଲାଗିଛି।

ଆଉ ସ୍ଥିତି ଆୟତ୍ତକୁ ଆସିବା ପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ଅତିରିକ୍ତ ସିପି। ଅତିରିକ୍ତ ସିପିଙ୍କ ତହିବା କଥା ଯେଉଁମାନେ ଆଜିର ଆନ୍ଦୋଳନରେ ହିଂସାତ୍ମକ ଘଟଣାରେ ସାମିଲ ଥିଲେ, ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ। ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସେମାନଙ୍କ ଭିତରୁ କାହାରିକୁ ଛଡ଼ାଯିବ ନାହିଁ।

କ୍ୟାପିଟାଲ ହସ୍ପିଟାଲରେ ଆହତଙ୍କୁ ଦେଖିବା ପରେ ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ସିପି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କହିଥିଲେ କଂଗ୍ରେସ ପ୍ରତିନିଧି। ହେଲେ ଆଜି କି ପ୍ରକାର ଶାନ୍ତି ରକ୍ଷାକଲେ ତାହା ସମସ୍ତେ ଜାଣିଛନ୍ତି।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କହିଥିଲେ, ମାତ୍ର ତାହା ହେଲାନି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୧୫ ଜଣ ପୋଲିସ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣ ଗୁରୁତର ଅଛନ୍ତି। ଜଣେ କାର୍ଯ୍ୟରତ ସାମ୍ୱାଦିକ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।