ସରକାରଙ୍କ ବଡ଼ ନିଷ୍ପତ୍ତି: ରାସନ କାର୍ଡରୁ ବାଦ ପଡ଼ିଥିବା ପରିବାରଙ୍କୁ ମିଳିବ ‘ଆୟୁଷ୍ମାନ ଭାରତ’ ସେବା

ଭୁବନେଶ୍ଵର: ଓଡ଼ିଶାରେ ରାସନ କାର୍ଡରୁ ବାଦ ପଡ଼ିଥିବା ପରିବାରଙ୍କୁ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY) ଅଧୀନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ‘ଆୟୁଷ୍ମାନ ଭାରତ’ ଯୋଜନା ଓଡ଼ିଶାରେ ଚଳିତମାସ ୧୧ତାରିଖ କାର୍ଯ୍ୟକାରୀ ହୋଇଛି ଏବଂ ଏହା ରାଜ୍ୟର ପ୍ରାୟ ୧.୦୩ କୋଟି ପରିବାରକୁ (୩.୫ କୋଟି ଲୋକ) ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି।

ତେବେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ପରେ ହିତାଧିକାରୀଙ୍କ ମଧ୍ୟରେ ଅନେକ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କେଉଁମାନେ କାର୍ଡ ପାଇବେ, ରାସନ କାର୍ଡ ନ ଥିଲେ ଚିକିତ୍ସା ସୁବିଧା ମିଳିବ କି ନାହିଁ ତାହାକୁ ନେଇ ଲୋକମାନେ ଆଶା ଆଶଙ୍କା ଭିତରେ ରହିଛନ୍ତି। ତେବେ ରାସନ କାର୍ଡ ତାଲିକାରୁ ବାଦ୍ ପଡ଼ିଥିବା ୨ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ, ”ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା, ଅନ୍ତୋଦୟ ଯୋଜନା, ନବୀନ କାର୍ଡ ଓ ରାସନ କାର୍ଡରୁ ବାଦ୍ ପଡ଼ିଥିବା ୨ଲକ୍ଷ ପରିବାରକୁ ମିଶାଇ ସମୁଦାୟ ୧.୩କୋଟି ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଛି। ଏହି ୫ଟି ବର୍ଗର ଲୋକଙ୍କ ଆଧାର ସଂଯୁକ୍ତ କାର୍ଡ ପ୍ରସ୍ତୁତ ହୋଇଛି। ରାଜ୍ୟରେ ୪୮ହଜାରରୁ ଅଧିକ ଆଶା କର୍ମୀ ଥିବା ବେଳେ ସେମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ। ପରିବାରର ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।ସେହିପରି ୭୦ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଯୋଜନାରେ ୫ଲକ୍ଷ ସୁବିଧା ମିଳିବ । ରାଜ୍ୟରେ ଏହି ବର୍ଗର ପ୍ରାୟ ୨୩ଲକ୍ଷ ଲୋକ ଥିବା ବେଳେ ତହିଁରୁ ୬ଲକ୍ଷ ଲୋକ ଏଥିରେ ସାମିଲ ହୋଇ ନାହାନ୍ତି। ସେମାନେ ଅନ୍‌ଲାଇନ୍ ଜରିଆରେ ସେମାନଙ୍କ କାର୍ଡ ପାଇପାରିବେ। ୭୦ବର୍ଷରୁ ଅଧିକ ଲୋକଙ୍କୁ ଏହି ଯୋଜନାରେ ସେବା ପାଇବା ପାଇଁ କୌଣସି ପ୍ରକାର ମାନଦଣ୍ଡ ଧାର୍ଯ୍ୟ ନାହିଁ।

ସେ ଆହୁରିମଧ୍ୟ କହିଛନ୍ତି, ଯେଉଁ ହିତାଧିକାରୀଙ୍କ ଆଧାର ସଂଯୁକ୍ତ କାର୍ଡ ପ୍ରସ୍ତୁତ ହୋଇଛି, ମାତ୍ର ହିତାଧିକାରୀ କାର୍ଡ ପାଇ ନ ଥିଲେ ବି ଚିକିତ୍ସାରେ କୌଣସି ସମସ୍ୟା ହେବନାହିଁ। ନିଜର ଆଧାର ନମ୍ବର କିମ୍ବା ପୁରୁଣା ବିଏସକେୱାଇ କାର୍ଡର ନମ୍ବର ଦେଖାଇ ସେମାନେ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ। ଆସନ୍ତା ୩ମାସ ଭିତରେ ରାଜ୍ୟରେ କାର୍ଡ ବିତରଣ ଶେଷ ହେବ ବୋଲି ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଏହି ଯୋଜନା ଅଧୀନରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ସହାୟତା ମିଳୁଛି, ଯାହା ଦେଶର ୩୦,୦୦୦ରୁ ଅଧିକ ହସ୍ପିଟାଲରେ ଉପଲବ୍ଧ।
ଏହା ସହିତ, ଓଡ଼ିଶା ସରକାରଙ୍କ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ସହ ‘ଆୟୁଷ୍ମାନ ଭାରତ’ ଯୋଜନା ଏକୀକୃତ ହୋଇଛି, ଯାହାଦ୍ୱାରା ରାଜ୍ୟର ଗରିବ ଓ ଅସହାୟ ପରିବାରଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ମିଳୁଛି।

ଯୋଗ୍ୟତା ନିର୍ଣ୍ଣୟ ପାଇଁ, ‘ଆୟୁଷ୍ମାନ ଭାରତ’ ଯୋଜନା ସାଧାରଣତଃ ସାମାଜିକ-ଆର୍ଥିକ ସ୍ଥିତି (SECC 2011 ଡାଟା) ଆଧାରରେ ଲାଭାର୍ଥୀ ଚୟନ କରେ। ୭୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନେ, ସାମାଜିକ-ଆର୍ଥିକ ସ୍ଥିତି ନିର୍ବିଶେଷେ, ‘ଆୟୁଷ୍ମାନ ବୟୋବନ୍ଦନା ଯୋଜନା’ ଅଧୀନରେ ଏହି ସେବା ପାଇବାକୁ ଯୋଗ୍ୟ।

ରାସନ କାର୍ଡରୁ ବାଦ ପଡ଼ିଥିବା ପରିବାରମାନେ ନିଜର ଯୋଗ୍ୟତା ଯାଞ୍ଚ କରିବା ପାଇଁ ନିକଟସ୍ଥ ‘ଆୟୁଷ୍ମାନ ମିତ୍ର’ କାର୍ଯ୍ୟାଳୟ, ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC), କିମ୍ବା ଅଫିସିଆଲ ଆୟୁଷ୍ମାନ ଭାରତ ୱେବସାଇଟ୍ (https://pmjay.gov.in) ମାଧ୍ୟମରେ ସମ୍ପର୍କ କରିପାରିବେ। ଅଧିକ ସୂଚନା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ (https://health.odisha.gov.in) ମଧ୍ୟ ଦେଖିପାରିବେ।