ପହଲଗାମ ଆକ୍ରମଣ, ପ୍ରଶାନ୍ତଙ୍କ ସ୍ତ୍ରୀ-ପୁଅକୁ ଲୁହ ଭିଜା ଆଖିରେ କୋଳେଇ ନେଲେ ଅପରାଜିତା

ଟ୍ୱିଟ୍ କରି ଭାବପୂର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ପହଲଗାମ୍: ଲୋମହର୍ଷଣକାରୀ ଘଟଣା। ସ୍ତ୍ରୀ ଓ ପୁଅ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡକୁ ଗୁଳି କରି ମାରିଦେଲେ ଆତଙ୍କବାଦୀ। ହଁ ଆମେ କହୁଛୁ ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଶାର ପୁଅ ପ୍ରଶାନ୍ତ କୁମାର ଶତପଥୀଙ୍କ କଥା।

ଯାହାଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡିଛି ପୁରା ଓଡ଼ିଶା। ଆଉ ପ୍ରଶାନ୍ତଙ୍କ ମନ ଶରୀର କିପରି ଜମ୍ମୁ-କଶ୍ମୀରରୁ ଓଡ଼ିଶା ଆସିବ ସେ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର। ଆଉ ଏହାରି ଭିତରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅକୁ ଭେଟିଛନ୍ତି ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା ପହଲଗାମ୍ ଆତଙ୍କୀ ଆକ୍ରମଣ କଥା ଜାଣିବା ପରେ ଜମ୍ମୁ-କଶ୍ମୀରର ପହଲଗାମକୁ ବୁଲିବାକୁ ଯାଇଛନ୍ତି। ଆଉ ସେଠାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅକୁ ମଧ୍ୟ ଭେଟି ଆସ୍ୱାସନା ଦେଇଛନ୍ତି।

ଜମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦଙ୍କୁ ଦେଖିବା ପରେ କୋହ ସମ୍ଭାଳିପାରି ନଥିଲେ ପ୍ରଶାନ୍ତଙ୍କ ପତ୍ନୀ।

ଅପରାଜିତାଙ୍କୁ କୁଣ୍ଢାଇ କାନ୍ଦିବା ସହ ସେହି ଛାତିଥରା ଘଟଣା କିପରି ଥିଲା ତାହା ବଖାଣିଛନ୍ତି। ଅପରାଜିତା ମଧ୍ୟ ନିଜକୁ ସମ୍ଭାଳି ପାରିନାହାନ୍ତି। ଲୁହ ଭରା ଆଖିରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ପୁଅକୁ କୋଳେଇ ନେଇଛନ୍ତି।

ସାଂସଦ ପରିବାର ସଦସ୍ୟଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହ ସମବେଦନା ଜଣାଇଛନ୍ତି। ଏହି ସମୟର ଭାବପୂର୍ଣ୍ଣ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍‌ କରିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।