ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ କାଳବୈଶାଖୀର ପ୍ରକୋପ ଦୁଇ ଜଣଙ୍କ ପ୍ରାଣ ନେଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସହ ବଜ୍ରପାତ ଦେଖାଦେଇଥିଲା, ଯାହା ଏହି ଦୁର୍ଘଟଣାର କାରଣ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁଇଁତଳା ବ୍ଲକ ଆଠଗାଁ ରାସ୍ତା କସାବାହାଲ ନିକଟରେ ଏହି ଅଘଟଣ ଘଟିଛି। ପୀଡିତ ବ୍ୟକ୍ତିମାନେ ଅଟୋରେ ଯିବା ବେଳେ ସେମାନଙ୍କ ଉପରେ ଗଛ ପଡିଥିଲା, ଫଳରେ ଜଣେ ଯାତ୍ରୀ ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୬ ଏପ୍ରିଲ (ଶନିବାର) ଠାରୁ ଓଡ଼ିଶାରେ ପୁଣି ବର୍ଷା/ଝଡ଼ବର୍ଷା ହୋଇପାରେ। ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ଜାରି ରହିପାରେ। ଆଗାମୀ ଚାରି ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ଏବଂ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି କହିଛି। ଏହି କାଳବୈଶାଖୀ ବର୍ଷା ରାଜ୍ୟବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିରୁ ଆଶ୍ୱସ୍ତି ଆଣିପାରେ।
୨୬ ଏପ୍ରିଲ ଦିନ ଅପରାହ୍ନ/ସନ୍ଧ୍ୟା ସମୟରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
୨୭ ଏପ୍ରିଲ ଦିନ ଅପରାହ୍ନ/ସନ୍ଧ୍ୟା ସମୟରେ କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦-୬୦ କିଲୋମିଟର ବେଗରେ ବଜ୍ରପାତ ଏବଂ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଇଏମଡି ଏହି ଜିଲ୍ଲାଗୁଡ଼ିକ ପାଇଁ ଏକ କମଳା ସତର୍କତା ଜାରି କରିଛି।