ଚମକିବ ଦାନ୍ତ, ଯନ୍ତ୍ରଣାରୁ ମିଳିବ ମୁକ୍ତି

ଦାନ୍ତରେ ଲାଗିବ ନାହିଁ ପୋକ

ଓଡିଶା ଭାସ୍କର: ପିଲାଠୁ ବୁଢା ଯାଏଁ ପ୍ରାୟତଃ ଲୋକଙ୍କର ଦାନ୍ତ ପୋକ କାଟିବା ଏକ ବଡ ସମସ୍ୟା ହୋଇଗଲାଣି। ଏବେ ଏହି ସମସ୍ୟା ହେବ ଦୂର। ଦାନ୍ତରେ ରହିବ ନାହିଁ କ୍ୟାଭିଟି, ପୋକ ଖାଉଥିଲେ ଭଲ ହୋଇଯିବ।

ଦାନ୍ତରେ କ୍ୟାଭିଟି ହେବା କିମ୍ବା ପୋକ ଖାଇବା ଏକ ସାଧାରଣ ସମସ୍ୟା। ଏହା ସାଧାରଣତଃ ଖରାପ ଖାଦ୍ୟପେୟ ଏବଂ ନିୟମିତ ଦାନ୍ତ ସଫା ନ କରିବା ଦ୍ୱାରା ହୋଇଥାଏ। ଦାନ୍ତରେ କ୍ୟାଭିଟି କେବଳ ଯନ୍ତ୍ରଣା ଦିଏ ନାହିଁ ବରଂ ଠିକ୍ ସମୟରେ ଏହାର ଯତ୍ନ ନ ନେଲେ ଦାନ୍ତକୁ ବଡ଼ କ୍ଷତି ମଧ୍ୟ ହୋଇଥାଏ।

ଇଣ୍ଡିଆନ୍ ଡେଣ୍ଟାଲ୍ ଆସୋସିଏସନ୍ ଅନୁଯାୟୀ, ଭାରତରେ ଅନେକ ଲୋକ ଦାନ୍ତ ସମସ୍ୟାରେ ପୀଡିତ। ଏହା ଆରମ୍ଭ ହେବା ସମୟରେ ଯଦି ଆମେ କିଛି ଘରୋଇ ଉପାୟ ଆପଣାଯାଉଛେ ତେବେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବା। ତେଲ, ଲବଙ୍ଗ ତେଲ ଏବଂ ହେଙ୍ଗୁ ଭଳି ଏହି ତିନୋଟି ଘରୋଇ ଉପଚାର ଦ୍ୱାରା ଦାନ୍ତ ସମସ୍ୟାରୁ ମୁକ୍ତି ମିଳିପାରିବ।

ସୋରିଷ ତେଲରେ ବ୍ୟାକ୍ଟେରିଆ ବିରୋଧୀ ଗୁଣ ଥାଏ ଏବଂ ଲୁଣରେ ଆଣ୍ଟିସେପ୍ଟିକ୍ ଗୁଣ ଥାଏ। ଗୋଟିଏ ଚାମଚ ସୋରିଷ ତେଲରେ ଚିମୁଟାଏ ଲୁଣ ମିଶାଇ ଏକ ପେଷ୍ଟ ତିଆରି କରି ଦାନ୍ତରେ ଥିବା କ୍ୟାଭିଟି ସ୍ଥାନକୁ ଧୀରେ ଧୀରେ ୨-୩ ମିନିଟ୍ ପାଇଁ ଘଷି ଉଷୁମ ପାଣିରେ ଧୋଇ ଦେଲେ କିଛି ଦିନ ମଧ୍ୟରେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ମରିଯାଆନ୍ତି ଏବଂ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ଲବଙ୍ଗ ତେଲ ଏବଂ ହେଙ୍ଗୁ ମଧ୍ୟ ବ୍ୟାକ୍ଟେରିଆ ବିରୋଧୀ ଗୁଣ ପାଇଁ ପ୍ରସିଦ୍ଧ। ଲବଙ୍ଗ ତେଲ କ୍ୟାଭିଟି ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବାରେ ସାହାଯ୍ୟ କରିଥାଏ। ଏକ ତୂଳାରେ ୨-୩ ବୁନ୍ଦା ଲବଙ୍ଗ ତେଲକୁ ନେଇ ଦାନ୍ତ ଉପରେ ୫-୧୦ ମିନିଟ୍ ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଧୋଇବା ଦ୍ୱାରା ପୋକ ଏବଂ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ସେହିପରି ହେଙ୍ଗୁରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ଅଛି, ଯାହା ପାଟିରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ। ଗୋଟିଏ ଗ୍ଲାସ୍ ପାଣିରେ ଅଧ ଚାମଚ ହେଙ୍ଗୁ ପାଉଡର ମିଶାଇ ୫ ମିନିଟ୍ ଗରମ କରି ଥଣ୍ଡା ହେବା ପରେ,ଏହି ପାଣିକୁ ଦିନକୁ ୨-୩ ଥର କୁଳି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।