ବିନା ପାଇଲଟରେ ଉଡ଼ିଲା ବିମାନ, ଥିଲେ 200 ଯାତ୍ରୀ
ମଝି ଆକାଶରେ ବିନା ପାଇଲଟରେ 10 ମିନିଟ୍ ଉଡ଼ିଲା ବିମାନ । ଆଉ ସେଥିରେ ଯାତ୍ରା କରୁଥିଲେ 200 ଯାତ୍ରୀ । ତେବେ ବିମାନଟି ଜର୍ମାନୀରୁ ସ୍ପେନ ଯାଉଥିବା ଜଣାପଡ଼ିଛି ।
ବର୍ଲିନ: ମଝି ଆକାଶରେ ଘଟିଲା ଭୟଙ୍କର ଘଟଣା । 10 ମିନିଟ ଯାଏଁ ବିନା ପାଇଲଟରେ ଉଡ଼ିଲା ବିମାନ, ଯେଉଁଥିରେ ଯାତ୍ରା କରୁଥିଲେ 200 ଯାତ୍ରୀ । ତେବେ ବିମାନଟି ଜର୍ମାନୀରୁ ସ୍ପେନ ଯାଉଥିବା ଜଣାପଡ଼ିଛି । ଉକ୍ତ ଘଟଣାଟି ୨୦୨୪ର ହୋଇଥିଲେ ହେଁ ଶନିବାର ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।
ଜର୍ମାନୀର ଜଣାଶୁଣା ବିମାନ କମ୍ପାନୀ ଲୁଫ୍ଥାନ୍ସା ବିମାନରେ ଏଙଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯେତେବେଳେ ବିମାନଟି ପ୍ରାୟ 36 ହଜାର ଫୁଟ ଉଚ୍ଚରେ ଥିଲା, ସେତେବେଳେ ଏହା ପାଇଲଟ ବିନା ଆକାଶରେ ଉଡ଼ି ଚାଲିଥିଲା। ଏହା ଗୋଟେ କି ଦୁଇ ମିନିଟ୍ ପାଇଁ ନୁହେଁ ବରଂ ୧୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ିଥିଲା ।
ଏହି ଘଟଣା 17 ଫେବୃୟାରୀ 2024ରେ ହୋଇଥିଲା । ଲୁଫ୍ଥାନ୍ସାର A321 ବିମାନ କକପିଟରେ ଥିବା ସମୟରେ ସହ ପାଇଲଟ ଚେତାଶୂନ୍ୟ ହେବା ପରେ ଏହି ଚିନ୍ତାଜନକ ଘଟଣା ଘଟିଥିଲା। ସେହି ସମୟରେ ବିମାନରେ 199 ଜଣ ଯାତ୍ରୀ ଏବଂ 6 ଜଣ କ୍ରୁ ସଦସ୍ୟ ଥିଲେ।
ଯେତେବେଳେ ସହ-ପାଇଲଟ୍ ଚେତାଶୂନ୍ୟ ହୋଇ ପଡ଼ିଲେ, କ୍ୟାପଟେନ୍ କକପିଟ୍ ବାହାରକୁ ଶୌଚାଳୟକୁ ଯାଇଥିଲେ। ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିମାନଟି ଅଟୋପାଇଲଟ୍ ମୋଡ୍ରେ ଉଡୁଥିଲା। ସୌଭାଗ୍ୟବଶତଃ ଅଟୋପାଇଲଟ୍ ସିଷ୍ଟମ ବିମାନକୁ ସ୍ଥିର ଏବଂ ନିୟନ୍ତ୍ରିତ ଭାବରେ ଉଡ଼ାଣ ଭରିବାରେ ସାହାଯ୍ୟ କରିଥିଲା ।
ତେବେ ୮ରୁ ୧୦ ମିନିଟ୍ ଭିତରେ ଫେରିବା ପରେ, କ୍ୟାପ୍ଟେନ କହିଲେ ଯେ, ସେ ଅନେକ ଚେଷ୍ଟା ସତ୍ତ୍ୱେ ସୁରକ୍ଷା କୋଡ୍ ସହିତ ମଧ୍ୟ କକପିଟ ଭିତରକୁ ପ୍ରବେଶ କରିପାରିଲେ ନାହିଁ।
ବିମାନ ଚଳାଚଳ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଅଟୋପାଇଲଟ୍ ସକ୍ରିୟ ନଥାନ୍ତା, ତେବେ ପରିସ୍ଥିତି ବହୁତ ଭୟଙ୍କର ହୋଇଥାନ୍ତା।