ଆଜି ଦିଲ୍ଲୀରେ NDA ର ବଡ଼ ବୈଠକ, ଅଧ୍ୟକ୍ଷତା କରିବେ ମୋଦୀ
ଦିଲ୍ଲୀରେ ଆଜି ଏନଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୈଠକ । ଦିନ 10ଟାରୁ 2ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ ।
ଭୁବନେଶ୍ବର: ଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ବଡ଼ ବୈଠକ । ଏନଡିଏ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ । ଆଜି ପୂର୍ବାହ୍ନ 10ଟାରେ ଏହି ବୈଠକ ଆରମ୍ଭ ହେବାକୁ ଥିବା ବେଳେ ଏହାର ଅଧ୍ୟକ୍ଷତା କରିବେ ମୋଦୀ । 20ଟି NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦେବେ ଯୋଗ। ଦିନ 10ଟାରୁ 2ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିରେ NDA ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ ।
ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଓ POKରେ ଥିବା ଆତଙ୍କୀ ଶିବିର ଧ୍ବଂସ, ଅପରେସନ ସିନ୍ଦୂର , ଭାରତ-ପାକ୍ ମଧ୍ୟରେ ବର୍ତ୍ତମାନ ଲାଗି ରହିଥିବା ତିକ୍ତତା ଆଦି ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହେବ । NDA ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବେ ପ୍ରଧାନମନ୍ତ୍ରୀ।
ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ । ଏହି ବୈଠକରେ ଦୁଇଟି ପ୍ରସ୍ତାବ ଗୃହୀତ ହେବ। ଅପରେସନ ସିନ୍ଦୁରର ସଫଳତା ନେଇ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରାଯିବ ।
ଏହାସହ ଜନଗଣନାରେ ଜାତି ଜନଗଣନା ସାମିଲ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ସୁଶାସନ ନେଇ ନିଆଯାଇଥିବା ଭଲ ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ । ଏହାସହ କେନ୍ଦ୍ରରେ ଏନଡିଏ ସରକାରର ବର୍ଷ ପୂର୍ତ୍ତି ଓ ଦଶମ ଯୋଗ ଦିବସ ସମ୍ପର୍କରେ ଆଲୋଚନା ହେବ ।