ଅପରେସନ ସିନ୍ଦୂର: ୱାର୍‌ ରୁମର ପ୍ରଥମ ଫଟୋ ଜାରି କଲା ସେନା

‘ଅପରେସନ ସିନ୍ଦୂର’କେଉଁଠି ଏବଂ କିପରି କରାଯାଇଥିଲା । ଆଜି ପ୍ରଥମ ଥର ପାଇଁ ସେନା ପକ୍ଷରୁ ଜାରି ହୋଇଛି ଅପରେସନ୍‌ ସିନ୍ଦୁର ୱାର ରୁମର ଫଟୋ ।

ନୂଆଦିଲ୍ଲୀ: ମେ’ 7 ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଭାରତ ଆକ୍ରମଣ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ । ତେବେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ଅପରେସନ୍‌ ସିନ୍ଦୁର ୱାର ରୁମ୍‌ର ଫଟୋ ।

ୟେ ହେଉଛି ସେହି ରୁମ୍, ଯେଉଁଠାରୁ ପାକିସ୍ତାନ ବିରୁଦ୍ଧରେ ଏହି ସାମରିକ ଅପରେସନ୍ ଉପରେ ନଜର ରଖୁଥିଲେ ସେନା ଅଧିକାରୀମାନେ । ଏହି ଅପରେସନ୍ ରୁମ୍ ରୁ, ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ ତ୍ରିପାଠି ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହଙ୍କ ସମେତ ଉଚ୍ଚ ସାମରିକ ଅଧିକାରୀମାନେ ଅପରେସନ୍ ଉପରେ ନଜର ରଖୁଥିଲେ। ସେନା ପକ୍ଷରୁ ସେହି ସମୟର ଫଟୋ ଏବେ ସେୟାର କରାଯାଇଛି ।

ଯେତେବେଳେ ପ୍ରଥମ ଆକ୍ରମଣ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର ଭିତରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବା ପାଇଁ ହୋଇଥିଲା, ସେତେବେଳେ ଏହି ଯୁଦ୍ଧ କୋଠରୀରୁ ନିଷ୍ପତ୍ତି ନିଆଯାଇଥିଲା ଯେ, ଯେପରି କୌଣସି ପ୍ରକାରର ଅପ୍ରତ୍ୟାସିତ କ୍ଷତି ନହେବ ଏବଂ କୌଣସି ସାଧାରଣ ଲୋକ ଯେପରି ନ ମରିବେ। ତିନି ବାହିନୀ – ସ୍ଥଳସେନା, ନୌସେନା ଏବଂ ବାୟୁସେନା – ମଧ୍ୟରେ ଏହି ସମନ୍ୱୟ ଥିଲା ଏବଂ ଅପରେସନର ପ୍ରତ୍ୟେକ ପର୍ଯ୍ୟାୟ ସଫଳତାର ସହିତ ସମ୍ପାଦିତ ହୋଇଥିଲା।

ପ୍ରକାଶଥାଉକି, ଏପ୍ରିଲ 22 ରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତୀୟ ସେନା ପାକିସ୍ତାନରେ କାର୍ଯ୍ୟରତ ଆତଙ୍କବାଦୀ ଆଡ୍ଡା ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ, ମେ 7 ତାରିଖରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଜେଇଏମ୍‌, ଏଲ୍‌ଇଟି ଏବଂ ହିଜବୁଲ୍‌ ମୁଜାହିଦ୍ଦିନର 9ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା।