ଏଲନ୍ ମସ୍କ ପାଗଳ ହୋଇଗଲେଣି, ମୁଁ କଥା ହେବାକୁ ଚାହୁଁନାହିଁ କହିଲେ ଟ୍ରମ୍ପ

ୱାଶିଂଟନ,୬ା୬:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମୁଖ୍ୟ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ବଢ଼ିବା ପରେ, ବାକ୍ ଯୁଦ୍ଧ ମଧ୍ୟ ତୀବ୍ର ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଉଭୟ ପରସ୍ପରର ବହୁତ ପ୍ରଶଂସା କରୁଥିଲେ, ଏବେ ଉଭୟ ଖୋଲାଖୋଲି ଭାବରେ ମୁହାଁମୁହିଁ ହୋଇଛନ୍ତି। ଟ୍ରମ୍ପ ଶୁକ୍ରବାର କହିଥିଲେ,  ଏଲନ୍  ମସ୍କ ତାଙ୍କ ସହିତ କଥା ହେବାକୁ ଚାହାନ୍ତି, କିନ୍ତୁ ସେ ଆଲୋଚନା ପାଇଁ ପ୍ରସ୍ତୁତ ନୁହନ୍ତି।

ଏକ ସାକ୍ଷାତକାରରେ ଟ୍ରମ୍ପ  କହିଥିଲେ ଯେ, ସେ ପାଗଳ ହୋଇଗଲେଣି। ପୂର୍ବରୁ ଖବର ଆସିଥିଲା  ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ବିବାଦର ଅନ୍ତ ପାଇଁ ଜୁନ୍ ୬ରେ ଟ୍ରମ୍ପ ଏବଂ ଏଲନଙ୍କ ମଧ୍ୟରେ ଏକ ବୈଠକ ସ୍ଥିର କରିଛନ୍ତି। ଯେତେବେଳେ ଟ୍ରମ୍ପଙ୍କୁ ଏହି ବୈଠକର କାର୍ଯ୍ୟସୂଚୀ ବିଷୟରେ ପଚରାଗଲା, ସେ ମସ୍କଙ୍କୁ ଭେଟିବାକୁ ମନା କରିଦେଲେ।

ଟ୍ରମ୍ପ୍ ଗୁରୁବାର ଦାବି କରିଥିଲେ ସେ ମସ୍କଙ୍କୁ ବହୁତ ସାହାଯ୍ୟ କରିଥିଲେ, କିନ୍ତୁ ଏବେ ସେ ମସ୍କଙ୍କ ଉପରେ ବହୁତ ନିରାଶ। ସେ  EV ଟିକସ ପ୍ରୋତ୍ସାହନ ହଟାଇବା ଉପରେ ମସ୍କ ରାଗିଛନ୍ତି। ଏହା ଉପରେ ମସ୍କ ଦାବି କରିଛନ୍ତି ମୋତେ ଏହି ବିଲ୍ ବିଷୟରେ ଥରେ ମଧ୍ୟ କୁହାଯାଇ ନଥିଲା ଏବଂ ଏହା ମଧ୍ୟରାତ୍ରିରେ ପାସ୍ ହୋଇଯାଇଥିଲା। ମସ୍କ ଏପରିକି କହିଥିଲେ ଯେ, ଟ୍ରମ୍ପ ମୋ ଯୋଗୁ ନିର୍ବାଚନ ଜିତିଛନ୍ତି। ଯଦି ମୁଁ  ନ ଥାନ୍ତି, ତେବେ ଟ୍ରମ୍ପଙ୍କ ପରାଜୟ ନିଶ୍ଚିତ ଥିଲା।

ଟ୍ରମ୍ପ କହିଛନ୍ତି ମୁଁ ବୈଦ୍ୟୁତିକ ଯାନ ସମ୍ପର୍କିତ ତାଙ୍କର ଆଇନଗତ ନିର୍ଦ୍ଦେଶ ପ୍ରତ୍ୟାହାର କରିବା ପରେ ମସ୍କ କ୍ରୋଧିତ ହୋଇଯାଇଥିଲେ। ଟ୍ରମ୍ପ ମସ୍କଙ୍କ କମ୍ପାନୀକୁ ଦିଆଯାଇଥିବା ସବସିଡି ବନ୍ଦ କରିବାକୁ ମଧ୍ୟ ଧମକ ଦେଇଥିଲେ, ଏହା ପରେ ମସ୍କ ମଧ୍ୟ ଖୋଲାଖୋଲି ଭାବରେ ବିବାଦରେ ଡେଇଁ ପଡ଼ିଥିଲେ। ମସ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ମହାକାଶଚାରୀ ଏବଂ ଅନ୍ୟାନ୍ୟ ଜିନିଷ ପରିବହନ ପାଇଁ ବ୍ୟବହୃତ ସ୍ପେସ୍ କ୍ୟାପସୁଲର ସେବା ସ୍ଥଗିତ କରିବାକୁ ଧମକ ଦେଇଥିଲେ।