ପ୍ରକୃତିର ଚମତ୍କାର, ଓସ୍ତ ଗଛରେ ଫୁଟିଲା ଗୋଲାପ ଫୁଲ
ଅଜବ ଦୃଶ୍ୟ, ଓସ୍ତ ଗଛରେ ଫୁଟିଛି ଗୋଲାପ ଫୁଲ, ଲୋକେ କରୁଛନ୍ତି ପୂଜା
ବିହାର: କେବେ ଆପଣ ଶୁଣିଛନ୍ତି, ଓସ୍ତ ଗଛରେ ଗୋଲାପ ଫୁଲ ଫୁଟିବା? ହଁ ଆଜ୍ଞା, ଏପରି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ମୁଜାଫରପୁର ଅନ୍ତର୍ଗତ ତୁର୍କି-ସରାୟ ରାସ୍ତାର ଛାଜାନ ନିକଟରେ। ଯେଉଁଠି ଏକ ଓସ୍ତ ଗଛରେ ହଠାତ ଗୋଲାପ ପରି ଫୁଲ ଫୁଟିଥିଲା। ଯାହାକୁ ଦେଖିବା ପାଇଁ ଆଖ ପାଖ ଗାଁରୁ ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସେମାନେ ଏହି ଘଟଣା ଆଗରୁ କେବେ ଦେଖି ନଥିଲେ। ହଠାତ ଏହା ଘଟିଥିବାର ଦେଖି ଗାଁ ଲୋକେ ଏହାକୁ ଏକ ଦିବ୍ୟ ଚମତ୍କାର ବୋଲି ଭାବି ଏହି ଓସ୍ତ ଗଛକୁ ପୂଜା କରିବା ଆରମ୍ଭ କଲେ।
ଏହି ଅଜବ ଦୃଶ୍ୟ ଦେଖିବା ପାଇଁ ବାଟରେ ଯାଉଥିବା ପଥିକମାନେ ମଧ୍ୟ ଅଟକି ଫୁଲକୁ ଦେଖି ମୁଣ୍ଡିଆ ମାରନ୍ତି। ପଥିକ ରାକେଶ ଚୌଧୁରୀ କୁହନ୍ତି ଯେ, ଆମେ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଛୁ, କିନ୍ତୁ ଆଜି ମୋ ଜୀବନରେ ପ୍ରଥମ ଥର ପାଇଁ ମୁଁ ଦେଖିଲି ଯେ ଓସ୍ତ ଗଛରେ ଏପରି ଫୁଲ ଫୁଟିଛି।
ଏହା କୌଣସି ସାଧାରଣ କଥା ନୁହେଁ, ଏହା ଏକ ଦିବ୍ୟ ସଙ୍କେତ ମଧ୍ୟ ହୋଇପାରେ। ତେଣୁ ଆମେ ସମସ୍ତେ ଏହାକୁ ପୂଜା କରୁଛୁ। ଆଉ ଜଣେ ପଥଚାରୀ ରିଷଭ ରାଜ କୁହନ୍ତି, ଓସ୍ତ ଗଛରେ ଗୋଲାପ ପରି ଫୁଲ କିପରି ଫୁଟିଲା ତାହା ଏକ ରହସ୍ୟ। କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ, ଏହି ଘଟଣା ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ପ୍ରଭାବିତ କରିଛି।
ଲୋକମାନେ ଏବେ ଏହି ଗଛକୁ ପୂଜା କରିବା ଆରମ୍ଭ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି। ତଥାପି, ଯେତେବେଳେ ଆମେ ଏହି ଫୁଲ ବିଷୟରେ ସୂଚନା ସଂଗ୍ରହ କଲୁ, ଅନଲାଇନ୍ ସୂତ୍ରରୁ ଜାଣିବାକୁ ପାଇଲୁ ଯେ ଏହା ଏକ ରାତିରେ ଫୁଟୁଥିବା ସେରେସ୍ ଫୁଲ ଯାହା କେବଳ ରାତିରେ ଫୁଟେ।
ସାଧାରଣତଃ ଏହା କେବଳ ଗ୍ରୀଷ୍ମ ଋତୁରେ ଫୁଟେ ଏବଂ ସକାଳେ ଶୁଖିଯାଏ। ଏହି ଦୃଶ୍ୟ ବହୁତ କମ୍ ଦେଖାଯାଏ। ସେହି ସମୟରେ, ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ ଦଳକୁ ମଧ୍ୟ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଛି। ତଦନ୍ତ ପରେ ସତ୍ୟ ଖୁବ୍ ଶୀଘ୍ର ଜଣାପଡିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଏହି ଓସ୍ତ ଗଛ ଭକ୍ତିର କେନ୍ଦ୍ର ପାଲଟିଛି, ଯେଉଁଠାରେ ଲୋକମାନେ ଏହି ଗଛକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି।