୧.୫ ଲକ୍ଷ ଟଙ୍କା ଦିଅ ମନଇଚ୍ଛା ଡିଗ୍ରୀ ସାର୍ଟିଫିକେଟ୍ ନିଅ

ନୂଆଦିଲ୍ଲୀ: ଟଙ୍କା ଦିଅ ମନଇଚ୍ଛା ସାର୍ଟି ଫିକେଟ୍ ନିଅ। ହଜାରେ କି ଦୁଇ ହଜାର ନୁହେଁ, ଏକାଥରେ ଦେଢ଼ ଲକ୍ଷ ଟଙ୍କା ଦିଅ ଆଉ ନିଜ ମନଇଚ୍ଛା ମାର୍କସିଟ୍ ନିଅ। ନା ଏଠି ପାଠ ପଢ଼ିବାର ଆବଶ୍ୟକତା ଅଛି ନା କୌଣସି କଷ୍ଟ କରିବାର।

ବାସ୍ ମୋଟା ଅଙ୍କର ଟଙ୍କା ଦିଅ ଆଉ ମାର୍କ ସିଟ୍ ନିଅ। ତେବେ ଏହି ନକଲି ଡିଗ୍ରି ତିଆରି କରୁଥିବା ଟିମର ଏବେ ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀର ପୋଲିସର କ୍ରାଇମବ୍ରା଼ଞ୍ଚ ଟିମ୍ ନକଲି ଡିଗ୍ରୀ ତିଆରି କରୁଥିବା ଏକ ଆନ୍ତଃରାଜ୍ୟ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କରିଛି।

ଏହି ମାମଲାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ସିଣ୍ଡିକେଟ୍ ଅନେକ ରାଜ୍ୟରେ ଚାଲିଛି। ପୋଲିସ ସେମାନଙ୍କଠାରୁ ୨୨୮ ମାର୍କ ସିଟ୍, ୨୭ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି।

ହି ଗ୍ୟାଙ୍ଗ୍‌ର ମୁଖ୍ୟ ହେଉଛି ଭିକି ଯିଏ ରୋହିଣୀରୁ କାମ କରୁଥିଲା। ସେ ନିଜେ ଦଶମ ପାସ୍ ଏବଂ ନେତାଜୀ ସୁଭାଷ ପ୍ଲେସରେ ଏକ କଲ୍ ସେଣ୍ଟର୍ ଚଲାଉଥିଲା। ବିବେକ ଗୁପ୍ତା ନୋଏଡାରୁ କାମ କରୁଥିଲା। ଏହା ବ୍ୟତୀତ ସତବୀର ସିଂହ ଫରିଦାବାଦ ଏବଂ ନାରାୟଣ ଭିନ୍ନ ଏକ ସ୍ଥାନରୁ ଏହି ସେଣ୍ଟର୍ ଚଲାଉଥିଲେ। ଏହି ଗ୍ରୁପ୍‌ର ଜଣେ ସଦସ୍ୟ ରାଜସ୍ଥାନର ଏକ ଜେଲ୍‌ରେ ବନ୍ଦୀ ଅଛନ୍ତି।

ନକଲି ଡିଗ୍ରୀ ତିଆରି ସିଣ୍ଡିକେଟ୍‌ର ପର୍ଦ୍ଦାଫାସ୍‌:  ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ସମ୍ପୂର୍ଣ୍ଣ ଗ୍ୟାଙ୍ଗ୍ ଗତ ୨ ବର୍ଷ ଧରି ସକ୍ରିୟ ଅଛି ଏବଂ ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଡିଗ୍ରୀ ତିଆରି କରି ଲୋକଙ୍କୁ ବିକ୍ରି କରିଛି।

ଅଭିଯୁକ୍ତମାନଙ୍କ ପାଖରୁ ମିଳିଥିବା ଫୋନ୍ ଏବଂ ଲାପଟପ୍‌ରୁ କ୍ରାଇମ୍‌ବ୍ରାଞ୍ଚ ୫ ହଜାର ଡିଗ୍ରୀ ତିଆରି କରିବାର ଡିଜିଟାଲ୍ ଡାଟା ପାଇଛି। ଅପରାଧୀମାନେ BMS, B.Tech, B.Pharma ଭଳି ଅନେକ ବଡ଼ ପାଠ୍ୟକ୍ରମର ନକଲି ଡିଗ୍ରୀ ତିଆରି କରୁଥିଲେ।

ସୂଚନା ଅନୁଯାୟୀ, ଗ୍ୟାଙ୍ଗ୍‌ର ବିଭିନ୍ନ ସଦସ୍ୟଙ୍କୁ ବିଭିନ୍ନ କାମ ଦିଆଯାଇଥିଲା। ପ୍ରଥମେ ପିଲାମାନେ କେଉଁ ଅଞ୍ଚଳରେ ଯାଉଛନ୍ତି ଏବଂ କେଉଁଠାରେ ଅଧିକ କୋଚିଂ ସେଣ୍ଟର ଅଛି ତାହା ଦେଖାଯାଉଥିଲା।

ସେଠାରେ ଅଭିଯୁକ୍ତମାନେ ଭଡ଼ାରେ ଏକ ଘର ନେଉଥିଲେ ଏବଂ ତା’ପରେ ସେମାନେ ପୋଷ୍ଟର କିମ୍ବା ପାମ୍ଫଲେଟ୍ ଛାପି କେନ୍ଦ୍ରଗୁଡ଼ିକରେ ବଣ୍ଟନ କରୁଥିଲେ। ଏହା ବ୍ୟତୀତ ସେମାନେ ମୋବାଇଲ୍ ମାଧ୍ୟମରେ କିଛି ପିଲାଙ୍କ ସହିତ ଯୋଗାଯୋଗ କରୁଥିଲେ।

ପୋଲିସର ପର୍ଦ୍ଦାଫାସ: କେବଳ ଏତିକି ନୁହେଁ, ଗ୍ୟାଙ୍ଗର ସଦସ୍ୟମାନେ ନକଲି ପରିଚୟପତ୍ର ସହିତ ଅନେକ କୋଚିଂ ସେଣ୍ଟରକୁ ଯାଉଥିଲେ ଏବଂ ପିଲାମାନଙ୍କୁ ଶୀଘ୍ର ଡିଗ୍ରୀ ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରୁଥିଲେ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଗୋଟିଏ ଡିଗ୍ରୀ ପାଇଁ ଏକରୁ ଦେଢ଼ ଲକ୍ଷ ଟଙ୍କା ଆଦାୟ କରାଯାଉଥିଲା ଏବଂ ତା’ପରେ ଦେଢ଼ ମାସ ମଧ୍ୟରେ ପିଲାମାନଙ୍କୁ ଡିଗ୍ରୀ ଦିଆଯାଉଥିଲା।

ଜଏଣ୍ଟ ସିପି କ୍ରାଇମବ୍ରାଞ୍ଚ କହିଛନ୍ତି ଯେ ଗ୍ୟାଙ୍ଗର ସଦସ୍ୟମାନେ ଏପର୍ଯ୍ୟନ୍ତ ଅନେକ ବିଶ୍ୱବିଦ୍ୟାଳୟର ନକଲି ଡିଗ୍ରୀ ତିଆରି କରିଛନ୍ତି। ସେହି ଡିଗ୍ରୀଗୁଡ଼ିକୁ ପିଲାମାନଙ୍କୁ ବିକ୍ରି କରାଯାଇଛି।

ପୋଲିସର କହିବା ଅନୁଯାୟୀ, ଏପର୍ଯ୍ୟନ୍ତ ଅନେକ ଲୋକ ନକଲି ଡିଗ୍ରୀ ଆଧାରରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ଚାକିରି ପାଇଛନ୍ତି। କ୍ରାଇମବ୍ରାଞ୍ଚ ଏହି ବିଷୟର ଘନିଷ୍ଠ ତଦନ୍ତ କରୁଛି ଯେ ଏପର୍ଯ୍ୟନ୍ତ କେତେ ଲୋକ ନକଲି ସାର୍ଟିଫିକେଟ ମାଧ୍ୟମରେ ଚାକିରି ପାଇଛନ୍ତି ଏବଂ ସେମାନଙ୍କୁ କେଉଁଠି ପୋଷ୍ଟ କରାଯାଇଛି।