ମାଛ କାଟିଲା ଭଳି ପ୍ରେମିକାର ତଣ୍ଟିକୁ କାଟି ଛିଡ଼ାଇ ଦେଲା ପାଗଳପ୍ରେମୀ, ନିଜ ତଣ୍ଟି କାଟିଲା କିନ୍ତୁ ମଲାନି
ପାଗଳ ପ୍ରେମୀର ଜଘନ୍ୟ କାଣ୍ଡ । ପ୍ରେମିକା ଛାତି ଉପରେ ବସି କାଟିଦେଲା ତଣ୍ଟି
ଭୋପାଳ: ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ହସ୍ପିଟାଲରେ ଘଟିଯାଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଡାକ୍ତରଖାନାରେ ୧୮ ବର୍ଷୀୟା ଯୁବତୀଙ୍କ ତଣ୍ଟି କାଟିଦେଇଛି ପାଗଳ ପ୍ରେମୀ ।
ମୃତ ନର୍ସିଂ ଛାତ୍ରୀ ସନ୍ଧ୍ୟା ହସ୍ପିଟାଲକୁ ଟ୍ରେନିଂ ପାଇଁ ଯାଇଥିଲେ । କାମରେ ଥିବା ସମୟରେ ହିଁ ତାଙ୍କ ହତ୍ୟା କରିଦେଇଛି ପାଗଳ ପ୍ରେମିକ । ଅଭିଷେକ କୋସ୍ତି ନାମକ ଯୁବକ ଦିନ ଦ୍ୱିପ୍ରହରରେ ପ୍ରେମିକାକୁ ହତ୍ୟା କରିଛି ।
ପ୍ରେମିକାର ଛାତି ଉପରେ ବସି ଧାରୁଆ ଛୁରୀରେ ତା’ ତଣ୍ଟି କାଟିବା ପରେ ଅଭିଷେକ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । କିନ୍ତୁ ସେଥିରେ ସେ ବିଫଳ ହୋଇଥିଲା । ଯାହାପରେ ଘଟଣାସ୍ଥଳ ଛାଡ଼ି ସେ ତୁରନ୍ତ ଫେରାର୍ ହୋଇଯାଇଥିଲା ।
ଖବର ଅନୁସାରେ, ସନ୍ଧ୍ୟା ଓ ଅଭିଷେକ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । କିନ୍ତୁ କିଛିଦିନ ହେବ ସେମାନଙ୍କ ଭିତରେ ଝଗଡ଼ା ଲାଗି ରହିଥିଲା । ଯାହାପରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି ।
ଘଟଣାସ୍ଥଳରେ ଡାକ୍ତରଖାନାର ଅନ୍ୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ ସୁଦ୍ଧା କୌଣସି ବ୍ୟକ୍ତି ସନ୍ଧ୍ୟାଙ୍କୁ ରକ୍ଷା କରିବା କିମ୍ବା ଅଭିଷେକକୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ ।
ଶେଷରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିବାବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ସେପଟେ ସନ୍ଧ୍ୟାଙ୍କ ପରିବାର ଲୋକ ନ୍ୟାୟ ଦାବିରେ ହସ୍ପିଟାଲ ସାମ୍ନାରେ କିଛି ସମୟ ଧାରଣାରେ ବସିଥିଲେ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।