‘୫୦ ହଜାରରେ କ’ଣ ହେବ? ମୋ ପକେଟରୁ ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଛି’, କଙ୍ଗନା ରାଣାୱତ ସରକାରୀ ଦରମାରେ ଅସନ୍ତୁଷ୍ଟ
ରାଜନୀତିରେ ଖୁସି ନାହାନ୍ତି କଙ୍ଗନା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ବଲିଉଡର ‘କ୍ୱିନ୍’ କଙ୍ଗନା ରାଣାୱତ ଅଭିନୟ ଦୁନିଆରେ ଲୋକପ୍ରିୟତା ହାସଲ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ କଙ୍ଗନା ଭାରତୀୟ ଜନତା ପାର୍ଟୀର ଟିକେଟରେ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଏଭଳି ଲାଗୁଛି ଯେ, କଙ୍ଗନା ରାଜନୀତି ଦୁନିଆରେ ଅସହଜ ମନେ କରୁଛନ୍ତି।
ସରକାରୀ ଦରମାରେ ଅସନ୍ତୁଷ୍ଟ: ଅଭିନେତ୍ରୀ କଙ୍ଗନା ଏକ ସାକ୍ଷାତକାରରେ ନିଜ ସାଂସଦର ଦରମାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ସବୁବେଳେ କୁହେ ରାଜନୀତି ଏକ ମହଙ୍ଗା ହବି।
ଯେତେବେଳେ ତାଙ୍କୁ ହବି ବିଷୟରେ ପଚରାଗଲା, ସେ କହିଥିଲେ ଯେ, ଯଦି ଆପଣ ସଚ୍ଚୋଟ, ତେବେ ସାଂସଦର ଭୂମିକାକୁ ପ୍ରଫେସନାଲ ଭାବେ ନେଇପାରିବେନି। କାରନ ଏହି କାମରେ ଆପଣଙ୍କୁ ଚାକିରି ଭଳି ଟଙ୍କା ମିଳିନଥାଏ।
ସେ ଆଗକୁ କହିଛନ୍ତି ଯେ, ଆମକୁ ଯାହା ଦରମା ମିଳୁଛି, ସେଥିରେ ରୋଷେଇ ଏବଂ ଡ୍ରାଇଭରର ଖର୍ଚ୍ଚ ପରେ ଆମ ପାଖରେ ମାତ୍ର ୫୦ରୁ ୬୦ ହଜାର ରହିଥାଏ।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ: କଙ୍ଗନା କହିଛନ୍ତି ଯେ, ନିଜ ଲୋକସଭା ନିର୍ବାଚନମଣ୍ଡଳୀ ମଣ୍ଡିର ଯେକୌଣସି ସ୍ଥାନକୁ ଯାତ୍ରା କରିବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ପ୍ରତିଟି ସ୍ଥାନ ୩୦୦-୪୦୦ କିମି ଦୂର ହୋଇଥାଏ। ଯେତେବେଳେ ବି ଆପଣ ଷ୍ଟାଫଙ୍କ ସହ କାରରେ ଯାତ୍ରା କରୁଛନ୍ତି ତେବେ ଖର୍ଚ୍ଚ ଲକ୍ଷ ଲକ୍ଷ ରେ ପହଞ୍ଚିଯାଏ।
ଏହା ସତରେ ବହୁତ ମହଙ୍ଗା ହବି। ଅନେକ ସାଂସଦଙ୍କର ବିଜନେସ ଅଛି, ଅନ୍ୟ କେତକ ଓକିଲ ଭାବେ ବି କାମ କରନ୍ତି। ସେ କହିଛନ୍ତି ଯେ, ଯେଉଁ ଲୋକେ ମୋ ପୂର୍ବରୁ ବି ରାଜନୀତିରେ ଅଛନ୍ତି, ସେମାନେ ମଧ୍ୟ ନିଜ ପ୍ରଫେସନ ସହ ଜଡ଼ିତ ରହିଥାଆନ୍ତି। ଆପଣଙ୍କୁ ରାଜନୀତି ସହ ଅନ୍ୟ କାମ କରିବାକୁ ମଧ୍ୟ ପଡ଼ିଥାଏ।
କିଛି ପୂର୍ବରୁ ମଧ୍ୟ କଙ୍ଗନା କହିଥିଲେ ଯେ, ସେ ରାଜନୀତିରେ ମଜା ନେଇପାରୁନାହାନ୍ତି। ସେ କହିଥିଲେ ଯେ, ଲୋକେ ମୋ ପାଖକୁ ଭଙ୍ଗା ନଳ ଏବଂ ରାସ୍ତାର ସମସ୍ୟାକୁ ନେଇ ଆସୁଛନ୍ତି, ସାମାଜିକ ସେବା ବ୍ୟାକ୍ଗ୍ରାଉଣ୍ଡର ନୁହେଁ।