ଟଙ୍କା ଭର୍ତ୍ତି ବ୍ୟାଗ ସହିତ ନଜର ଆସିଲେ ମନ୍ତ୍ରୀ, ଭିଡିଓ ଭାଇରାଲ

ମନ୍ତ୍ରୀଙ୍କ ଟଙ୍କା ଭର୍ତ୍ତି ବିଶାଳ ବ୍ୟାଗ

ମୁମ୍ବାଇ: ଟଙ୍କା ଭର୍ତ୍ତି ବ୍ୟାଗ ସହିତ ନଜର ଆସିଲେ ମନ୍ତ୍ରୀ, ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଆୟକର ନୋଟିସ୍ ପରେ ମହାରାଷ୍ଟ୍ରର ସାମାଜିକ ନ୍ୟାୟ ମନ୍ତ୍ରୀ ସଞ୍ଜୟ ଶିରସାଟଙ୍କ ବିରୋଧରେ ଏକ ଭିଡିଓ ଭାଇରାଲ ହେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି।

ଭିଡିଓରେ ସେ ଗୋଟିଏ ଘରେ ଧୂମପାନ କରୁଥିବା ଏବଂ ତାଙ୍କ ପାଖରେ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ଥିବା ଦେଖାଯାଇଛି। ଏହି ଘଟଣା ତାଙ୍କୁ ୨୦୧୯ ଓ ୨୦୨୪ ବିଧାନସଭା ନିର୍ବାଚନ ମଧ୍ୟରେ ସମ୍ପତ୍ତିରେ ଅସ୍ୱାଭାବିକ ବୃଦ୍ଧି ପାଇଁ ଆୟକର ବିଭାଗରୁ ନୋଟିସ୍ ମିଳିବାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି।

ଏହି ଭିଡିଓଟି ବିରୋଧୀ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ସୋସିଆଲ ମିଡିଆରେ ପୋସ୍ଟ କରିଛନ୍ତି। ସେ ଶାସକ ମେଣ୍ଟକୁ ଟାର୍ଗେଟ କରି ଲେଖିଛନ୍ତି, “ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଇଁ ମୋତେ ଦୟା ଲାଗୁଛି! ସେ ଆଉ କେତେ ଥର ନିଷ୍କ୍ରିୟ ହୋଇ ନିଜର ସମ୍ମାନ ନଷ୍ଟ ହେବା ଦେଖିବେ? ଅସହାୟତାର ଆଉ ଏକ ନାଁ – ଫଡନାଭିସ!”

ଅରଙ୍ଗାବାଦରୁ ପ୍ରତିନିଧିତ୍ୱ କରୁଥିବା ଏବଂ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ସଦସ୍ୟ ଶିରସାଟ ଦାବି କରିଛନ୍ତି ଯେ ତାଙ୍କ ପାଖରେ ଥିବା ବ୍ୟାଗରେ ଟଙ୍କା ନୁହେଁ, ବରଂ ପୋଷାକ ରହିଛି।

ଶିରସାଟ ଆହୁରି କହିଛନ୍ତି, “କିଛି ଲୋକ ମୋ ବିରୋଧରେ ଆୟକର ବିଭାଗରେ ଅଭିଯୋଗ କରିଥିଲେ, ଯାହା ଆଧାରରେ ମୋତେ ନୋଟିସ୍ ଜାରି ହୋଇଥିଲା। ମୁଁ ବୁଧବାର ଦିନ ଉତ୍ତର ଦେବାର ଥିଲି, କିନ୍ତୁ ଅଧିକ ସମୟ ମାଗିଛି। ମୁଁ ଉଚିତ ଉତ୍ତର ଦେବି। କୌଣସି ଭୁଲ କାମ ହୋଇନାହିଁ।”