24ରେ ଆଉ ଏକ ଲଘୁଚାପ; 23ରୁ ପ୍ରବଳ ବର୍ଷିବ, ଆଜି 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

24ରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ପୂର୍ବାନୁମାନ । ପ୍ରଭାବରେ 23ରୁ 25 ଯାଏଁ ବର୍ଷା ସମ୍ଭାବନା । ଆଜି ପ୍ରବଳ ବର୍ଷା ନେଇ 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ।

ଭୁବନେଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର ତଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା ।

ଲଘୁଚାପ ପ୍ରଭାବରେ 23ରୁ 25 ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ପ୍ରବଳ ବର୍ଷା ନେଇ 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୧୯ ଜୁଲାଇ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ବାଲେଶ୍ୱରରେ ବଜ୍ରପାତ ସହ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ବଜ୍ରପାତ ବର୍ଷା ନେଇ ୨୪ ଜୁଲାଇ ଯାଏଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ସକ୍ରିୟ ମୌସୁମୀ ବାୟୁ, ଘୂର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ରାଜ୍ୟରେ ଜୁନ୍ ୧ରୁ ଜୁଲାଇ ୧୮ ପର୍ଯ୍ୟନ୍ତ ୨୧%ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସାରା ରାଜ୍ୟରେ ଭଲ ବର୍ଷା ହୋଇଥିବାରୁ ଏହା ଚାଷକୁ ସୁହାଇଛି । କିନ୍ତୁ ଚିନ୍ତାଜନକ ସ୍ଥିତିରେ ରହିଛି ରାଜ୍ୟର ୩ ଜିଲ୍ଲା ପୁରୀ, ଗଜପତି ଓ ନୂଆପଡ଼ା । ଏହି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁରୀରେ ସ୍ୱାଭାବିକଠାରୁ ୨୬% କମ୍, ସେହିଭଳି ଗଜପତିରେ ୨୬% କମ୍ ଓ ନୂଆପଡ଼ାରେ ୩୨% କମ୍ ବର୍ଷା ହୋଇଛି ।