fbpx

ଜଗତସିଂହପୁର ବିଲୁଆଖାଇ ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଜଗତସିଂପୁର,୨୧ ।୮(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଆଜି ଜଗତସିଂହପୁରର ବିଲୁଆଖାଇ ନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କୋଭିଡ ମୁକାବିଲା ପାଇଁ ଜିଲ୍ଲାରେ ଏକ ମାତୃ ଓ ଶିଶୁ ଚିକିତ୍ସାଳୟ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଜଗତସିଂହପୁରର ଶଂଖାରୀ ସାହି ନିକଟରେ ବିଲୁଆଖାଇ ନଦୀ ଉପରେ ୬୧.୪୨ କୋଟି ଟଙ୍କା ବ୍ୟୟରେ ଏକ ବୃହତ ସେତୁ ନିର୍ମାଣ କରାଯାଇଛି । ୨୦୧୬ ଅକ୍ଟୋବରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ସେତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟକୁ କଟକ ବାଇଶମୌଜା ସହିତ ସିଧାସଳଖ ଯୋଡିବା ସହିତ ଜଗତସିଂହପୁରରୁ ଭୁବନେଶ୍ୱରର ଦୂରତ୍ୱ ବହୁତ ପରିମାଣରେ କମିଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସେତୁ ଜଗତସିଂହପୁର ଜିଲ୍ଲାରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

ଅନ୍ୟପଟେ ଶିଳାନ୍ୟାସ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାଳୟରେ ପାଇଁ ୧୬.୨୮ କୋଟି ଟଙ୍କା ବିନିଯୋଗ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ନିର୍ମାଣ ହେବାକୁ ଥିବା ଓଉଟରେ ୧୦ଟି ଶଯ୍ୟା ରହିବ । ଏଥିପାଇଁ ୨.୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜିଲ୍ଲାର ମା ଓ ଶିଶୁ ମାନଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଇସ୍ପାତ, ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଜଳସଂପଦ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.