ଧାନ କିଣାବିକା ଅବ୍ୟବସ୍ଥା ନେଇ କୃଷକ ସଙ୍ଗଠନର ରାସ୍ତାରୋକ

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଧାନ କ୍ରୟବୃଦ୍ଧି ଦାବି ନେଇ ରାସ୍ତାକୁ ଓହ୍ଲାଇଛି କୃଷକ ସଙ୍ଗଠନ । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଚାଷୀଙ୍କୁ ଟୋକନ ପ୍ରଦାନ କରିବାକୁ ଦାବି ହୋଇଛି । ଏହି ରାସ୍ତାରୋକ ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିଥିଲେ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗିର, ଦେବଗଡ଼, ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୧୨ ଅଧିକାରୀଙ୍କୁ ମଣ୍ଡିର ଦାୟିତ୍ୱ ପ୍ରଦାନ କରାଯାଇଛି । ୧୬ଟି ଜିଲ୍ଲାର ୭୧ ହଜାର ୭୪୪ ଜଣ ଚାଷୀଙ୍କଠାରୁ ଧାନ କିଣାଯାଇଛି । ଅବଶିଷ୍ଟ ୧୪ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟିର ନିଷ୍ପତ୍ତି ଅନୁଯାୟୀ ଧାନ ସଂଗ୍ରହ କରାଯିବ ବୋଲି କହିଛନ୍ତି ।