fbpx

କରୋନାର ନୁଆ ଷ୍ଟ୍ରେନ୍ ‘ହାପ୍ପି ହାଇପୋକ୍ସିଆ’, ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ

ନୂଆଦିଲ୍ଲୀ,୧୧/୦୫ (ଓଡିଶା ଭାସ୍କର): ଭାରତରେ କରୋନାର ଭାଇରସର ନୁତନ ଷ୍ଟ୍ରେନ୍ ଏବେ ସାମନାକୁ ଆସିଲାଣି । ପ୍ରଥମେ “ବ୍ଲାକ୍ ଫଙ୍ଗସ୍” ଆଉ ଏବେ “ହାପ୍ପି ହାଇପୋକ୍ସିଆ” । ଏହା ଯୁବଗୋଷ୍ଠୀଙ୍କ ପ୍ରତି ଅଧିକ କ୍ଷତିକାରକ ସାବ୍ୟସ୍ତ ହେଉଥିବା ଦେଖବାକୁ ମିଳିଛି । ଏନେଇ ବୈଜ୍ଞାନିକ ମାନେ ଖୁଲାସା କରିଛନ୍ତି । ରିସର୍ଚ୍ଚ ମୁତାବକ ଏହି ନୁଆ ଷ୍ଟ୍ରେନ୍ ବା “ହାପ୍ପି ହାଇପୋକ୍ସିଆ” ଦ୍ୱାରା ଶରୀରର ଅକ୍ସିଜେନ୍ ଲେବଲ୍ ହଠାତ୍ କମିଯାଏ । ବିଶେଷ କରି ଏହା କୋଭିଡ୍ ରୋଗୀଙ୍କ ଅଧିକ କ୍ଷତି କରିଥାଏ । ସେମାନେ ଏହି ସମୟରେ ଅଧିକ ଅକ୍ସିଜେନ୍ ଆବଶ୍ୟକ କରୁଥିବା ବେଳେ “ହାପ୍ପି ହାଇପୋକ୍ସିଆ” ଦ୍ୱାରା ସଂକ୍ରମିତ ହୋଇ ରୋଗୀ ମାନଙ୍କ ଅକ୍ସିଜେନ୍ର ସ୍ତର ଅଚାନକ ୫୦% ପର୍ୟ୍ୟନ୍ତ ପହଞ୍ଚିଯାଇଥାଏ । ଏହା ଏକ ନୁତନ ଲକ୍ଷଣ ଆକାରରେ ଶରୀରର କ୍ଷମତାକୁ ହ୍ରାସ କରୁଛି । ଏହା ପୂର୍ବରୁ କୋଭିଡ୍ ଆକ୍ରାନ୍ତଙ୍କ ଠାରେ ଥଣ୍ଡା, ଜ୍ୱର, କାଶ, ଝାଡ଼ା, ବିଚଳିତ ଲାଗିବା, କୌଣସି ସ୍ୱାଦ ବାରି ନ ହେବା, ଶ୍ୱାସକ୍ରିୟାରେ ସମସ୍ୟା ଭଳି ଲକ୍ଷଣ ଦେଖା ଦେଉଥିଲା । ହେଲେ ଏବେ “ହାପ୍ପି ହାଇପୋକ୍ସିଆ” ଭଳି ନୂଆ ଲକ୍ଷଣ ବିଶେଷଜ୍ଞମାନଙ୍କୁ ଚକିତ କରୁଛି ।

ବିଶେଷଜ୍ଞ ମାନଙ୍କ କହିବାନୁସାରେ, ଦେଶରେ କରୋନାର ଦ୍ୱିତୀୟ ଲହରରେ ଆକ୍ରାନ୍ତ ହୋଇଥିବା ଯୁବଗୋଷ୍ଠୀ ମନଙ୍କୁ ଏହା ବେଶି ପ୍ରଭାବିତ କରୁଛି । ଏହା ସେମାନଙ୍କ ଶ୍ୱାସକ୍ରିୟା ଉପରେ ହାନି ପହଞ୍ଚାଉଛି । ହାପ୍ପି ହାଇପୋକ୍ସିଆ ହେବା ଫଳରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ଯାହା ଫଳରେ ଏହା ପରିଲକ୍ଷିତ ହେଲା ବେଳକୁ ସମୟ ଗଡି ଯାଉଛି । ଆଉ ଭଲ ଦେଖା ଯାଉଥିବା ରୋଗୀଟି ଆଇସିୟୁ ଭେଣ୍ଟିଲେଟର୍ ପର୍ଯ୍ୟନ୍ତ ପହଞ୍ଚି ଯାଉଛି । ତେବେ ପୁର୍ବରୁ କିଛି ବିଶେଷଜ୍ଞ କହିଥିଲେ ଦ୍ୱିତୀୟ ଷ୍ଟ୍ରେନ୍ ରେ ଯୁବଗୋଷ୍ଠୀ ମାନେ ଏଥିରେ ଅଧିକ ସଂକ୍ରମିତ ହେଉଛନ୍ତି । ତେଣୁ ଏହାର ମୁଖ୍ୟ କାରଣ ହେଉଛି “ହାପ୍ପି ହାଇପୋକ୍ସିଆ” ।
ଭୋପାଳର ଜଣେ ହେମାଟୋଲୋଜିଷ୍ଟ କହିଛନ୍ତି ଯେ, ‘ହାଇପୋକ୍ସିଆ ଶ୍ୱାସକ୍ରିୟା ଉପରେ ଅଧିକ ପ୍ରଭାବ ପକାଇଥାଏ । ତେବେ ଏହା ଯୋଗୁଁ ରକ୍ତରେ ଅକ୍ସିଜେନ୍ର ସ୍ତର ବହୁ ପରିମାଣରେ କମିଯାଏ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରେ ଅକ୍ସିଜେନ୍ର ସ୍ତର ୯୫% ବା ତା’ଠାରୁ ଅଧିକ ହୋଇଥାଏ । କିନ୍ତୁ କରୋନା ରୋଗୀଙ୍କର ଅକ୍ସିଜେନ୍ ସାଚ୍ୟୁରେସନ୍ କମି ୫୦% ଯାଏ ପହଞ୍ଚି ଯାଉଛି । ଏ କ୍ଷେତ୍ରରେ ହାପ୍ପି ହାଇପୋକ୍ସିଆ ଦେଖାଦେବାର ଆଶଙ୍କା ଅଧିକ ଥାଏ ।

ଅଧିକାଂଶ କ୍ଷେତ୍ରରେ ସଂକ୍ରମଣ ହେଲେ କରୋନା ରୋଗୀଙ୍କ ଶରୀର ହଠାତ୍ ଫୁଲିଯାଇଥାଏ । ଫଳରେ ସେଲ୍ୟୁଲାର ପ୍ରୋଟିନ୍ ରିଆକ୍ସନ୍ ତ୍ୱରାନ୍ୱିତ ହୋଇଥାଏ । ଏଥିଯୋଗୁ ରକ୍ତଜମାଟ ହେବା ଆରମ୍ଭ କରେ । ଏହାହିଁ ହାପ୍ପି ହାଇପୋକ୍ସିଆର ପ୍ରମୁଖ କାରଣ । ସେହିପରି ରକ୍ତଜମାଟ ବାନ୍ଧିବା ଯୋଗୁ ଫୁସଫୁସରେ ଅକ୍ସିଜେନ୍ ଯୋଗାଣ ଠିକ୍ ଭାବେ ହୋଇ ପାରେନାହିଁ । ଫଳରେ କିଡ୍ନି, ମସ୍ତିଷ୍କ, ହୃଦୟ ଓ ଶରୀରର ଅନ୍ୟ ପ୍ରମୁଖ ଅଙ୍ଗ କାମ କରିବା ବନ୍ଦ କରିପାରେ । ତେଣୁ ରୋଗୀଙ୍କର ଜୀବନହାନି ହେବାଭଳି ସ୍ଥିତି ଉତ୍ପନ୍ନ ହୁଏ ।


ହାପ୍ପି ହାଇପୋକ୍ସିଆ ହେଲେ ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ । ତାହା ଇଷତ୍ ନୀଳ ଦେଖାଯାଏ । ତ୍ୱଚା ଲାଲ/ବାଇଗଣୀ ରଙ୍ଗ ଧାରଣ କରେ । ଗରମ ହେଉ ନଥିଲେ କିମ୍ବା କୌଣସି ପ୍ରକାର ପରିଶ୍ରମ କରିନଥିଲେ ସୁଦ୍ଧା ଶରୀରରୁ ଝାଳ ବାହାରିଥାଏ । ଏହା ଶରୀରରେ ଅକ୍ସିଜେନ୍ କମୁଥିବାର ଲକ୍ଷଣ । ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍ । ଯୁବଗୋଷ୍ଠୀଙ୍କ ନିକଟରେ ଏହି ସମସ୍ୟା ଦେଖାଯିବାର ଦୁଇପ୍ରକାର କାରଣ ରହିଛି । ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ଓ ସହନଶକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ । ଯୁବଗୋଷ୍ଠୀ ନିକଟରେ ଅକ୍ସିଜେନ୍ ସାଚ୍ୟୁରେସନ୍ ୮୦% ହୋଇଗଲେ ବି ଜଣାପଡ଼େ ନାହିଁ । ସେମାନେ କିଛି ପରିମାଣରେ ହାଇପୋକ୍ସିଆକୁ ସହ୍ୟ କରିଯାନ୍ତି । ଏଭଳି କ୍ଷେତ୍ରରେ ଶରୀରରେ ହାପ୍ପି ହାଇପୋକ୍ସିଆ ରହିଛି କି ନାହିଁ ଜାଣିବା ପାଇଁ ନିୟମିତ ଅକ୍ସିମିଟରରେ ଅକ୍ସିଜେନ୍ ଲେବଲ୍ କୁ ମାପିବା ଦରକାର ।

 

Get real time updates directly on you device, subscribe now.