fbpx

ଗୋଆରେ ବାତ୍ୟା ତଉକ୍ତେର ତାଣ୍ଡବ; ଉପୁଡିଲା ଗଛ, ଉଡିଲା ଛାତ

ଗୋଆ, ୧୬/୦୫(ଓଡିଶା ଭାସ୍କର) : ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉକ୍ତେ ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ସେଠାରେ ବାତ୍ୟା ପ୍ରଭାବରେ ଅନେକ ସ୍ଥାନରେ ଭୀଷଣ ବର୍ଷା ହେବା ସହିତ ପାନାଜି ଠାରେ ବଡ ବଡ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସେଠାରେ ପରିସ୍ଥିତି କରୋନା ମହାମାରୀ ଠାରୁ ବି ଆହୁରି ବଳି ଯାଇଛି । ଗୋଟେ ପଟେ କରୋନା ଆଉ ଏବେ ବାତ୍ୟା । ସେଠାକାର ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗୋଆର କିଛି ଜିଲ୍ଲାରେ ମୁଷଳଧାରାରେ ବର୍ଷା ହେବା ସହିତ ଖୁବ୍ ଜୋରରେ ପବନ ହୋଇଥିବା ଜଣାପଡିଛି । ପରିଣାମସ୍ୱରୂପ ଗୋଆରେ କିଛି ଜିଲ୍ଳାରେ ବିଜୁଳି ଠପ୍ ହୋଇ ଯାଇଛି । ବର୍ତ୍ତମାନ ସୁଦ୍ଧା ବର୍ଷା ଲାଗି ରହିଛି ।

ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ମୁତାବକ ଏବେ ବାତ୍ୟା ଗୁଜୁରାଟ ମୁହାଁ ହେବାରେ ଲାଗିଛି । ଏହା ମେ ୧୭ ତାରିଖ ସଂନ୍ଧ୍ୟା ସୁଦ୍ଧା ଗୁଜୁରାଟ ଉପକୂଳରେ ପହଞ୍ଚିବ । ତେବେ ଏହାକୁ ନଜରରେ ରଖି ଗୁଜୁରାଟକୁ ପୁନେରୁ ଏନଡିଆରଏଫ୍ ର ୫ଟି ଟିମ୍ ଆସୁଛନ୍ତି । ପୂର୍ବରୁ ହିଁ ସେଠାରେ ଏନଡିଆରଏଫ୍ ଟିମ୍ ରହିଥିବା ବେଳେ ବାତ୍ୟାର ଗଭୀରତାକୁ ଦେଖି ଆହୁରି ୫ଟି ଟିମ୍ ଆସୁଛନ୍ତି । ସେଠାରେ ବର୍ତ୍ତମାନ ସମସ୍ତ ମତ୍ସଜୀବୀ କୁଳକୁ ଫେରି ଆସିଛନ୍ତି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେନା, ନୌସେନା ଏବଂ ତଟରକ୍ଷୀ ବାହିନୀର ଉଦ୍ଧାରକାରୀ ଏବଂ ରିଲିଫ୍ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

ଏହି ଘୂର୍ଣ୍ଣିବଳୟ ତୀବ୍ର ହେବା ସହିତ ପୋରବନ୍ଦର, ଜୁନାଗଡ, ଗିର ସୋମନାଥ ଏବଂ ଆମରେଲି ଜିଲ୍ଲାରେ ପବନର ବେଗ ମଙ୍ଗଳବାର ସକାଳ ସୁଦ୍ଧା ୧୫୦-୧୬୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୭୫ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିବ। ସମାନ ସମୟ ମଧ୍ୟରେ ଏହା ଦେବଭୂମି ଦ୍ୱାରକା, ଜାମନଗର, ଭବନଗର ଜିଲ୍ଲାରେ ପବନର ବେଗ ୧୨୦-୧୫୦ କିଲୋମିଟର ରହିବା ସହ ଧିରେ ଧିରେ ଏହାର ବେଗ ୧୬୫ କିଲୋମିଟର ବେଗରେ ପହଞ୍ଚିବ ବୋଲି ଆଇଏମଡି କହିଛି।

ସୁଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ବାତ୍ୟା ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ଅନେକ ଗାଁ ଏବେ ପାଣି ଘେରରେ ରହିଛି । ସେଥିମଧ୍ୟରୁ ୭୩ଟି ଗାଁ ତଉକ୍ତେ ଦ୍ୱାରା ବିଧ୍ୱଂସ ହୋଇ ଯାଇଛି । ସେଠାକାର ଲୋକ ମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ଏହି ଅଞ୍ଚଳ ମାନଙ୍କରେ ୧୧୨ଟି ଘର ଭାଙ୍ଗିବା ସହିତ ୧୩୯ଟି ଇଲେକ୍ଟିକ୍ ପୋଲ ଏବଂ ୨୨ଟି ଟ୍ରାନ୍ସଫରମର୍ ଉପୁଡି ଯାଇଛି । ଏସବୁ ରାସ୍ତାରେ ଉପରେ ପଡି ରହିଛି । ଏଥିସହିତ ଲୋକମାନଙ୍କ ଚାଷ ଜମିରେ ପାଣି ପଶିଯାଇଛି ।

Get real time updates directly on you device, subscribe now.