fbpx

ବର୍ଷା ଉଗାଳିଲା ସତ: ଗଙ୍ଗାନଦୀ ବାଲିଶଯ୍ୟାରେ ପୋତାଯାଇଥିଲା ୨୦୦୦ କରୋନା ରୋଗୀଙ୍କ ମୃତଦେହ

ନୂଆଦିଲ୍ଲୀ, ୧୬ା୫: ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳରୁ ୨ ହଜାରରୁ ଅଧିକ କରୋନା ରୋଗୀଙ୍କ ମୃତଦେହ ମିଳିଛି । ଏହି ମୃତଦେହଗୁଡ଼ିକ ଭାସି ଭାସି ବିହାରରେ ପହଞ୍ଚିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଗଙ୍ଗାନଦୀର ପ୍ରାୟ ୧୧୪୦ କିମି ଅଞ୍ଚଳରୁ ଏହି ମୃତଦେହଗୁଡ଼ିକ ଠାବ କରାଯାଇଛି । ତେବେ ମୃତଦେହଗୁଡ଼ିକୁ ବର୍ତ୍ତମାନ କୁକୁର ଓ ଶାଗୁଣା ଖାଉଥିବାରୁ ସେଗୁଡ଼ିକୁ ପାଣିରେ ନ ଭସାଇ ସଂସ୍କାର କରିବାକୁ ପୋଲିସ ଦ୍ୱାରା ମାଇକରେ ଘୋଷା କରାଯାଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସରକାର ଏହି ମୃତଦେହଗୁଡ଼ିକୁ ବାଲିରେ ପୋତି ଦେଇଥିଲେ । ବର୍ଷା ହେବା ପରେ ମୃତଦେହ ଉପରୁ ବାଲି ଉଠିଯାଇଥିଲା । ଫଳରେ ଏବେ ପ୍ରକୃତ ସତ ପଦାକୁ ଆସିଛି । ଉତ୍ତରପ୍ରଦେଶ ଓ ବିହାରରେ ଗଙ୍ଗାନଦୀରୁ ୨୦୦୦ ମୃତଦେହ ମିଳିଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସ୍ୱୀକାର କରିଛି । ବିଭିନ୍ନ ରାଜ୍ୟ ସରକାର କରୋନା ମୃତକଙ୍କ ସଠିକ୍ ତଥ୍ୟ ଦେଉ ନାହାନ୍ତି । ଅନେକ ଲୋକ କରୋନା ଭୟରେ ମୃତଦେହକୁ ସଂସ୍କାର କରିବାକୁ ଡରି ଗଙ୍ଗା ନଦୀରେ ଭସାଇ ଦେଉଛନ୍ତି । ଏହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଏହାକୁ ରୋକିବା ପାଇଁ ଉଭୟ ରାଜ୍ୟ ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନଦୀକୂଳ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.