ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, କହିଲେ- ମେ’ ୨୪ରୁ ଗାଁରେ ଘରକୁ ଘର ସର୍ଭେ ସହ ମୃତକଙ୍କ ପରିବାରକୁ ମିଳିବ ପେନସନ୍‌’

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି କହିଛନ୍ତି ଯେ, ମେ’ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ । ଆସନ୍ତା ମଇ ୨୪ ତାରିଖରୁ ୩ ମାସ ପାଇଁଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । କରୋନା ଲକ୍ଷଣ ଓ ଜଟିଳ ରୋଗର ଆଶାକର୍ମୀମାନେ ସର୍ଭେ କରିବେ । କୋଭିଡ ନିୟନ୍ତ୍ରଣରେ ସାମିଲ ହେବେ ଗାଁ କଲ୍ୟାଣ ସମିତି । ପ୍ରତି ଗାରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଏହା ସହ ଲକଡାଉନ ଓ ଟିଏମସି ସମ୍ପର୍କରେ ସରପଞ୍ଚ ନିଷ୍ପତ୍ତି ନେବେ ।’

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘କୋଭିଡରେ ପ୍ରାଣ ହରାଉଥିବା ମୃତକଙ୍କ ପରିବାରକୁ ପେନସନ୍ ମିଳିବ । ମୃତକଙ୍କ ବିଧବା ଓ ବାପାମାଙ୍କୁ ହରାଇଥିବା ପିଲାଙ୍କୁ ପେନସନ୍ ମିଳିବ । ସମସ୍ତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବ । ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ । ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ମଧ୍ୟ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ଅକ୍ସିଜେନ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହେବ ।’

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି ।ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତ୍ରୁଟିଶୂନ୍ୟ ଅକ୍ସିଜେନ ଯୋଗାଣ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡର, refilling ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ଆମେ ସ୍ବତନ୍ତ୍ର ଦୃଷ୍ଟି ରଖିଛୁ।

ଅନ୍ୟପଟେ ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିଶନ ଶକ୍ତି ଗ୍ରୁପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।