fbpx

ନୁଆ ଆଇସିୟୁ ୱାର୍ଡ ଛାତରୁ ଗଳୁଛି ପାଣି, ଭିଡିଓ ଭାଇରାଲ୍

ମଧ୍ୟପ୍ରଦେଶ : ବିଭିନ୍ନ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା କରିବାକୁ ଯାଇ କେନ୍ଦ୍ର ତଥା ରାଜ୍ୟ ସରକାର ଚିକିତ୍ସା ଭିତ୍ତିଭୂମି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ କିଛି ସ୍ଥାନରେ ଏହାର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । କେଉଁଠି ରୋଗୀଙ୍କ ଅଳିଆ ଆବର୍ଜନା ପୁର୍ଣ୍ଣ ସ୍ଥାନରେ ରଖାଯାଉଛି ତ କେଉଁଟି ଅକ୍ସିଜେନ୍ ଠାରୁ ବେଡ୍ ପର୍ଯ୍ୟନ୍ତ କିଛି ବି ସୁବିଧା ଉପଲବ୍ଧ ହେଉନାହିଁ । ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଚିକିତ୍ସା ବ୍ୟବସ୍ଥାରେ ଚରମ ଖାମଖିଆଲି ହୋଇଥିବା ଦେଖିବାକୁ ମିଳିଛି । କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁ ୱାର୍ଡର ସିଲିଂ ଏବଂ କାନ୍ଥରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି ।

ଟୁଇଟର୍ ରେ ଏହାକୁ ଅପଲୋଡ କରାଯାଇଥିବା ବେଳେ ଲୋକେ ଏହା ଉପରେ ଅନେକ ମତ ଦେଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଇସିୟୁ ୱାର୍ଡର ସିଲିଂ ରୁ ପାଣି ଗଳି ରୋଗୀଙ୍କ ବେଡ୍ ରେ ଯାଇ ପଡୁଛି । ଆଉ ରୋଗୀ ମାନେ ସେମାନଙ୍କ ଆବଶ୍ୟକୀୟ ଜିନିଷ ପତ୍ରକୁ ଉଠାଉଛନ୍ତି । ଏହାକୁ ଉକ୍ତ କୋଭିଡ୍ ର ଜଣେ ରୋଗୀ ଶୁଟ୍ କରିଥିବା ବେଳେ ସେ କହୁଛନ୍ତି ଯେ, ବର୍ଷା ହେବା ଫଳରେ ଛାତ ଏବଂ କାନ୍ଥରୁ ପାଣି ପଡୁଛି । ମେଡିକାଲ୍ କର୍ତ୍ତୃପକ୍ଷ ମାନେ ଆମ କଥା ଶୁଣୁ ନାହାନ୍ତି । ରୋଗୀ ମାନେ ବହୁତ ଅସୁବିଧାର ସାମନା କରୁଛନ୍ତି ।

ଏହି ଭିଡିଓକୁ କଂଗ୍ରେସ ରାଜଗଡ ଏମଏଲଏ ବାପୁ ତନୱାର ସେୟାର କରି ଲେଖିଛନ୍ତି ଯେ, ଏହା ହେଉଛି ନୁତନ ଭାବେ ପ୍ରସ୍ତୁତ ହୋଇଥିବା ଏକ କୋଭିଡ୍ ୱାର୍ଡ ଓ ଦେଖନ୍ତୁ ପ୍ରଥମ ବର୍ଷାରେ ଏହାର ଅବସ୍ଥା କିପରି ହୋଇଛି ।

Get real time updates directly on you device, subscribe now.