fbpx

ସାହାଯ୍ୟ କରିଥିବା ପ୍ରମାଣ ଦେଲେ ସୋନୁ, ପ୍ରଶଂସା କଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ମହାମାରୀ କରୋନା ଆରମ୍ଭ କାଳରୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସବୁରି ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏପରିକି ସୋଶାଲ୍ ସାଇଟ୍ ଜରିଆରେ ଲୋକେ ସହାୟତା ଲୋଡ଼ିଲେ ମଧ୍ୟ ସୋନୁ ସାହାଯ୍ୟ କରିବାକୁ ଆଗଭର ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଆସିଛି । ତେବେ ଇତିମଧ୍ୟରେ ଗଞ୍ଜାମର ଜଣେ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବା ନେଇ ଚର୍ଚ୍ଚା ସରଗରମ ହୋଇଛି । ସୋନୁ ସାହଯ୍ୟ କରିବା ନେଇ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱୀକାର କରିନଥିବାବେଳେ ପରେ ସୋନୁଙ୍କୁ ସେ ପ୍ରଶଂସା କରିଛନ୍ତି । କିନ୍ତୁ ଏହାକୁ ନେଇ ଟ୍ୱିଟର୍ରେ ବେଶ୍ କଥା କଟାକଟି ହୋଇଥିଲା ।

ସୂଚନା ଅନୁସାରେ, ପ୍ରଥମେ ସୋନୁ ସୁଦଙ୍କ ସାହାଯ୍ୟଙ୍କୁ ଅସ୍ୱୀକାର କରିଥିବା ଜିଲ୍ଲାପାଳ ସମ୍ପ୍ରତି ପ୍ରମାଣ ପାଇବା ପରେ ନିଜ ସ୍ଵର ବଦଳାଇଛନ୍ତି। ଏପରିକି  ସୋନୁଙ୍କୁ ପ୍ରଶଂସା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ପ୍ରଦୀପ ବେହେରା ନାମକ ଜଣେ ଯୁବକ ସୋନୁଙ୍କୁ ଟ୍ୱିଟ୍‌ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ପ୍ରଦୀପ ଜଣାଇଥିଲେ ଯେ ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ କିନ୍ତୁ ସେ ବହୁ ଚେଷ୍ଟା କରିବା ପରେ ମଧ୍ୟ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ପାଉନାହାନ୍ତି । ତେଣୁ ଯଥାଶୀଘ୍ର ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ପ୍ରଦୀପ ଅନୁରୋଧ କରିଥିଲେ । ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ରିପ୍ଲାଏ ଟ୍ୱିଟ୍‌ ଲେଖିଥିଲେ । ସେ କହିଥିଲେ ଯେ ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ  ଶଯ୍ୟାର ବନ୍ଦୋବସ୍ତ ହୋଇସାରିଛି।

କିନ୍ତୁ ଗଞ୍ଜାମ  ଜିଲ୍ଲାପାଳ ସୋନୁଙ୍କ ସହାୟତାକୁ ଖଣ୍ଡନ କରିଥିଲେ। ଏଥିସହ ସୋନୁଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଥିଲେ ଯେ- ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁ ସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ । ସେହିପରି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ ବୋଲି ସ୍ପଷ୍ଟ ଲେଖିଥିଲେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ।  ଏହା ପରେ ସୋନୁ ଟ୍ଵିଟ୍ କରି ଜିଲ୍ଲାପାଳଙ୍କୁ ଉତ୍ତର ଦେଇଥିଲେ । ସେ ଲେଖିଥିଲେ ଯେ ମହୋଦୟ, ଆମେ ଆପଣଙ୍କ ସହ ଯୋଗାଯୋଗ କରିଛୁ ବୋଲି ଦାବି କରୁନାହୁଁ । ଆମକୁ ସାହାଯ୍ୟ ନିବେଦନ କରିଥିବା ବ୍ୟକ୍ତିଙ୍କୁ ଶଯ୍ୟାର ବନ୍ଦୋବସ୍ତ କରାଇଛୁ । ଆପଣଙ୍କ କାର୍ୟ୍ୟାଳୟ ବହୁତ ଭଲ କାମ କରୁଛି ଏବଂ ଆପଣ ଆମ ସାହାଯ୍ୟ ସମ୍ପର୍କରେ ପୁନଃ ଯାଞ୍ଚ କରିପାରିବେ । ଏଥିସହ ପ୍ରମାଣ ସ୍ୱରୂପ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଲିଖିତ ବାର୍ତ୍ତାଳପର ସ୍କ୍ରିନ୍ସଟ୍ ମଧ୍ୟ ଟ୍ଵିଟ୍‌ରେ ପୋଷ୍ଟ କରିଛନ୍ତି ସୋନୁ।

ସୋନୁଙ୍କ ଏଭଳି ପ୍ରତିକ୍ରିୟା ପରେ ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟ୍ଵିଟ୍ କରିଥିଲେ। ସେ ଲେଖିଛନ୍ତି ଯେ, ଆପଣଙ୍କ ବ୍ୟବସ୍ଥାର ସମାଲୋଚନା କରିବା ଆମର ଉଦ୍ଦଶ୍ୟେ ନଥିଲା । ୨୪ ଘଣ୍ଟିଆ ରୋଗୀଙ୍କ ସେବା ପାଇଁ ଆମର ଟିମ୍ ଗଞ୍ଜାମ ରହିଛି। କିନ୍ତୁ ଶଯ୍ୟା ସମ୍ପର୍କିତ କିଛି ସମସ୍ୟା ଅଛି କି ନାହିଁ ତାହା ଯାଞ୍ଚ କରିବା ଆମର କର୍ତ୍ତବ୍ୟ ବୋଲି ଲେଖିବା ସହ ସୋନୁ ଏବଂ ତାଙ୍କ ଟିମ୍ ଙ୍କ ଉଲ୍ଲେଖନୀୟ ସାମାଜିକ ସେବା କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ । ଏହାକୁ ନେଇ ସୋଶାଲ୍ ସାଇଟ୍ ରେ ଲୋକେ ଖୁବ୍ ଚର୍ଚ୍ଚା କରୁଛନ୍ତି ।

Get real time updates directly on you device, subscribe now.