fbpx

ପାଣିପାଗ ବିଭାଗର ସତର୍କ ସୂଚନା: ୨୪ରୁ ତାପମାତ୍ରା ଆହୁରି ବଢ଼ିବ, ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ସାମାନ୍ୟ ବର୍ଷା ହେବା ସହ ପାଗରେ ପରିବର୍ତ୍ତନ ଘଟିଥିଲା । ଫଳରେ ଜନସାଧାରଣ ଅସହ୍ୟ ଗରମରୁ ରକ୍ଷା ପାଇପାରିଥିଲେ । ତେବେ ଏହା ମଧ୍ୟରେ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାକୁ ଯାଉଛି । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ୨୦ ତାରିଖରୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ୨୪ରୁ ୩୦ ତାରିଖ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ।

ଗତ ୧୭ ତାରିଖରେ ରାଜ୍ୟର ଦୁଇଟି ସ୍ଥାନରେ ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା । ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ରହିଥିବା ବେଳେ ନୂଆପଡ଼ାରେ ୪୦ ଡିଗ୍ରୀ ରହିଥିଲା । ସେହିପରି ଭୁବନେଶ୍ୱରରେ ତାପମାତ୍ରା ବଢ଼ିଥିଲା । ରାଜଧାନୀରେ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ତାଳଚେର, ବାଲେଶ୍ୱର ଓ ଭଦ୍ରକରେ ୩୯ ଡିଗ୍ରୀ ଲେଖାଏଁଏ ବାରିପଦାରେ ୩୯.୨ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ ରହିଥିଲା । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଉପକୂଳରେ ଉଷ୍ଣ-ଆର୍ଦ୍ର ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ ଆଦି ଜିଲ୍ଲାର କିଛି ଅଞ୍ଚଳରେ ରାତିରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ନେଇ ସତର୍କତା ଜାରି କରାଯାଇଛି ।

Get real time updates directly on you device, subscribe now.