fbpx

ଯୁବବର୍ଗ ପାଇଁ ପ୍ରେରଣା: ଇଞ୍ଜିନିୟରିଂ ଚାକିରି ଛାଡ଼ି ଦୁଗ୍ଧ ବ୍ୟବସାୟ କରୁଥିଲେ ଯୁବକ, ଏବେ କୋଟିପତି

ଦୃଢ଼ ଆତ୍ମବିଶ୍ୱାସ, ଅଧ୍ୟବସାୟ, କଠୋର ପରିଶ୍ରମ ଓ ଧୈର୍ଯ୍ୟ ବଳରେ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବ, ଏକଥାକୁ ପ୍ରମାଣିତ କରିଛନ୍ତି କିଶୋର ଇନ୍ଦୁକୁରି । ମୋଟା ଅଙ୍କର ଦରମାରେ ଏକ କମ୍ପାନୀରେ ଚାକିରି କରୁଥିଲେ ହେଁ ତାକୁ ଛାଡ଼ି ନିଜ ଦେଶରେ ବ୍ୟବସାୟ କରି ଜଣେ ଯୁବକ ସଫଳ ହୋଇପାରିଛନ୍ତି । କିଶୋର ଆମେରିକାରେ ଜଣେ ଇଞ୍ଜିନିୟର ଭାବେ ଚାକିରି କରୁଥିଲେ । ସେ ପରବର୍ତ୍ତୀ ସମୟରେ ଭାରତ ଫେରିଆସି ହାଇଦ୍ରାବାଦରେ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଥିଲେ । ସେ ଗ୍ରାହକଙ୍କମାନଙ୍କୁ ଉଚିତ ମୂଲ୍ୟରେ କ୍ଷୀର ଯୋଗାଇ ବର୍ତ୍ତମାନ ବାର୍ଷିକ ୪୪ କୋଟି ଟଙ୍କା ବ୍ୟବସାୟ କରୁଛନ୍ତି ।

କିଶୋର କର୍ଣ୍ଣାଟକର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଆଇଆଇଟି ଖଡ଼ଗପୁରରୁ ଗ୍ରାଜୁଏସନ ପାସ୍ କରିବା ପରେ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳର୍ୟରୁ ମାଷ୍ଟର ଡିଗ୍ରୀ ଓ ପିଏଚଡି ସମାପ୍ତ କରିଥିଲେ । ଏହାପରେ ସେ ୬ ବର୍ଷ ଧରି ଆମେରିକାରେ ଇଣ୍ଟେଲ କମ୍ପାନୀରେ ଚାକିରି କରିଥିଲେ । ଏହାପରେ ସେ ନିଜର ଚାକିରି ଛାଡ଼ି କୃଷିର ଭୂମି ଭାରତକୁ ଫେରିବାକୁ ମନସ୍ଥ କରିଥିଲେ । ଲୋକଙ୍କୁ ସୁଲଭ ଦରରେ ଉନ୍ନତ ମାନର ଦୁଗ୍ଧ ଯୋଗାଇବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସେଥିପାଇଁ ସେ ୨୦୧୨ ମସିହାରେ କୋଇମ୍ବାଟୁରରୁ ୨୦ଟି ଗାଈ ଆଣି ହାଇଦ୍ରାବାଦରେ ନିଜର ଫାର୍ମ ପ୍ରତିଷ୍ଠା କରିଥିଲେ । ସେ ସହରର ଗ୍ରାହକମାନଙ୍କୁ ସଦସ୍ୟତା ଆଧାରରେ ସିଧାସଳଖ କ୍ଷୀର ଯୋଗାଉଥିଲେ । ଧୀରେ ଧୀରେ ତାଙ୍କର ବ୍ୟବସାୟ ବଢ଼ିବାରେ ଲାଗିଥିଲା ।

୨୦୧୬ରେ ସେ ତାଙ୍କର ପୁତ୍ର ସିଦ୍ଧାର୍ଥଙ୍କ ନାମ ଅନୁସାରେ ନିଜର ଫାର୍ମ ନାମ ରଖିଥିଲେ Sid’s Farm । ବର୍ତ୍ତମାନ କିଶୋରଙ୍କ ପାଖରେ ୧୨୦ ଜଣ କର୍ମଚାରୀ କାମ କରୁଛନ୍ତି । ଏହି କର୍ମଚାରୀମାନେ ୧୦ ହଜାର ଗ୍ରାହକଙ୍କୁ ଦୈନିକ ଦୁଗ୍ଧ ଯୋଗାଣ କରିଥାନ୍ତି । ଏହି କାର୍ଯ୍ୟ କରିବାର ଫଳସ୍ୱରୂପ କିଶୋର ବର୍ତ୍ତମାନ ବର୍ଷକୁ ୪୪ କୋଟି ଟଙ୍କାର ବ୍ୟବସାୟ କରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ଆଜିକାଲି ଯୁଗରେ ସମସ୍ତେ ଚାକିରି ପଛରେ ପାଗଳଙ୍କ ପଛରେ ଧାଉଁଛନ୍ତି । ମାତ୍ର କିଶୋର ଚାକିରି ପରିତ୍ୟାଗ କରି କିଛି ନୂଆ କରି ଏହା ପ୍ରମାଣ କରିଛନ୍ତି ଯେ, ଚାକିରିକୁ ଛାଡ଼ିଦେଲ ମଣିଷ ଜୀବନରେ ବହୁତ କିଛି କରିପାରିବ, ଏଥିରେ ସନ୍ଦେହ ନାହିଁ ।

Get real time updates directly on you device, subscribe now.