fbpx

ବିଶେଷଜ୍ଞ ଓ ଡାକ୍ତରଙ୍କ ଚେତାବନୀକୁ ଅଣଦେଖା କରିବାର ପରିଣାମ ଭୋଗୁଛି ଭାରତ: ଆଇଏମଏ ପୂର୍ବତନ ଅଧ୍ୟକ୍ଷ ଡ. ରାଜନ୍ ଶର୍ମା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମଣ ହାର ଦ୍ରୁତ ମାତ୍ରାରେ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ କୋଭିଡ୍-୧୯ ର ଦ୍ୱିତୀୟ ଲହର କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତ ହେଉଛି । ତେବେ ପ୍ରଥମ ବର୍ଷ ତୁଳନାରେ ଦ୍ୱିତୀୟ ବର୍ଷରେ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ହେଲା କୋଭିଡ୍ ନିୟମ ଉଲଂଘନ । ଚଳିତ ବର୍ଷ ବାରମ୍ବାର ବାରଣ ସତ୍ତେ୍ୱ କୋଭିଡ୍ ନିୟମକୁ ଫୁ କରି ରାଜନୈତିକ ରାଲି ଅନୁଷ୍ଠିତ କରାଗଲା, ବିଭିନ୍ନ ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ହେଲା । କେହି ବି କୋଭିଡ୍ କୁ ଧ୍ୟାନ ଦେଲେ ନାହିଁ । ଯେଉଁଥିରେ ସଂକ୍ରମଣ ପ୍ରାୟ ୩୦ ପ୍ରତିଶତ ଯାଏ ବୃଦ୍ଧି ପାଇଥିଲା । ତେବେ ଏ ସମ୍ପର୍କରେ ଆଇଏମଏର ପୁର୍ବତନ ଅଧ୍ୟକ୍ଷ ଡ. ରାଜନ୍ ଶର୍ମା କହିଛନ୍ତି ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବୈଜ୍ଞାନିକ, ବରିଷ୍ଠ ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଣଦେଖା କରିଥିବାରୁ ଆଜି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ।

ତାଙ୍କ କହିବାନୁସାରେ, ଗତବର୍ଷର ସଂକ୍ରମଣରୁ କିଛି ଶିକ୍ଷା ଗ୍ରହଣ ନ କରି ମନଇଚ୍ଛା ରାଲି, ଧାର୍ମିକ କାର୍ଯ୍ୟକ୍ରମ ଏବଂ ସମୟ ଥାଉ ଥାଉ ସଜାଗ ନହେବା କାରଣରୁ ଭାରତରେ ଆଜି କରୋନା ବେକାବୁ ସ୍ଥିତିରେ ପହଞ୍ଚିଛି । ତା ଉପରେ ପୁଣି ଦ୍ୱିତୀୟ ଲହର ନ ଯାଉଣୁ ତୃତୀୟ ଲହରର ଆଶଙ୍କା କରିଛନ୍ତି ବିଶେଷଜ୍ଞ ମାନେ । ଗତବର୍ଷର କରୋନା ପ୍ରଭାବକୁ ଅଣଦେଖା କରି ଚଳିତ ବର୍ଷକୁ ସମ୍ପୂର୍ଣ୍ଣ ଢ଼ିଲା ଛାଡି ଦିଆଗଲା । ପଶ୍ଚିମବଙ୍ଗରେ ଯେଉଁଭଳି ଭାବରେ ଲମ୍ବା ସମୟ ଯାଏଁ ନିର୍ବାଚନ କରାଗଲା ତାହାର କିଛି ମଧ୍ୟ ଆବଶ୍ୟକତା ନଥିଲା । କାରଣ ନିର୍ବାଚନ ପ୍ରଚାର ବେଳେ ଦେଖିବାକୁ ମିଳିଥିଲା ଯେ କେହି ବି ମୁହଁରେ ମାସ୍କ କିମ୍ବା ସାମାଜିକ ଦୂରତାକୁ ମାନି ନଥିଲେ । ଯାହାର ପରିଣାମ ଆଜି ପୁରା ଦେଶ ଦେଖୁଛି ।

ଅପରପକ୍ଷରେ ଦେଶରେ ଟିକା ଉତ୍ପାଦନର ଯଥେଷ୍ଟ କ୍ଷମତା ଥିବା ସତ୍ତେ୍ୱ ବିଳମ୍ବରେ ଟିକାକରଣ ଆରମ୍ଭ କରାଗଲା । ଟିକା ଉତ୍ପାଦନ ମଧ୍ୟ ମନ୍ଥର ଗତିରେ କରାଗଲା । ଯାହାଫଳରେ ବର୍ତ୍ତମାନ ସମୟରେ ଟିକାର ଅଭାବ ଦେଖାଦେଇଛି । ସେହିପରି ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ସେଥିରେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଗଲା । ଯେତେବେଳେ ରୋଗୀଙ୍କ ସଂଖ୍ୟା ଅଧିକ ହେବାକୁ ଲାଗିଥିଲା ସେହି ସମୟରେ ଡାକ୍ତରମାନଙ୍କ ଉପରେ ମାନସିକ ଏବଂ ଶାରୀରିକ କ୍ଷେତ୍ରରେ ଖୁବ୍ ପ୍ରଭାବ ପଡିଲା । ଯାହାର ପରିଣାମସ୍ୱରୂପ ବର୍ତ୍ତମାନ ସୁଦ୍ଧା ୧୦୦୦ରୁ ଅଧିକ ଡାକ୍ତର ପ୍ରାଣ ହରାଇ ସାରିଛନ୍ତି । ଖାଲି ସେତିକି ନୁହେଁ ଦୈନିକ ୫୦ରୁ ଅଧିକ ଡାକ୍ତରଙ୍କ ଜୀବନ ଯାଉଥିବା ସେ କହିଛନ୍ତି ।

 

ଚିକିତ୍ସା କ୍ଷେତ୍ରରେ ନିଆଯାଉଥିବା ଜରୁରୀକାଳୀନ ପଦକ୍ଷେପ ସଂକ୍ରାନ୍ତରେ ସେ କହିଛନ୍ତି ଯେ, ଆମ ପାଖରେ କିଛି ବି ଉପଯୁକ୍ତ ସମୟ ଅନୁଯାୟୀ ଯୋଜନା ଉପଲବ୍ଧ ନାହିଁ । କୌଣସି ବି ଜାତୀୟ ଟାସ୍କ ଫୋର୍ସ ମଧ୍ୟ କରାଯାଇନାହିଁ । ଏଥିସହ ଜିନୋମିକ୍ସର ଅଧ୍ୟୟନ ମଧ୍ୟ ହେଉନାହିଁ । ଭାଇରସ୍ ର ଷ୍ଟ୍ରେନ୍ କୁ ମଧ୍ୟ ଜାଣିବା ପାଇଁ ଆମେ ପାଖରେ ଜ୍ଞାନ କୌଶଳର ଅଭାବ ରହିଛି । ତେବେ ମୋଟ ଉପରେ କହିବାକୁ ଗଲେ ବିଶେଷଜ୍ଞ ଏବଂ ଡାକ୍ତର ମାନଙ୍କ ଚେତାବନୀକୁ ଅଣଦେଖା କରିବାର ପରିଣାମ ଏବେ ସାରା ଦେଶ ଉପରେ ଭାରୀ ପଡିଯାଇଛି ।

Get real time updates directly on you device, subscribe now.