ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହେବା ପରେ ଏହା ଓଡିଶା ଆଡକୁ ମାଡିଆସୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ‘ୟଶ’ । ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ । ଏବେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ ୟଶ ୭ କିମି ବେଗରେ ଆଗଉଛି । ମେ’ ୨୬ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳର ନିକଟତର ହେବ ବାତ୍ୟା । ମେ ୨୬ ମଧ୍ୟାହ୍ନ ସୁଦ୍ଧା ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ୟଶ । ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଛୁଇଁପାରେ ଭୟଙ୍କର ଘୂର୍ଣ୍ଣିଝଡ ୟଶ ।
ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ବେଳେବେଳେ ଝଟକା ପବନର ବେଗ ୧୮୫ କିମି ରହିବ । ବାତ୍ୟା ପ୍ରଭାବରେ ଆଜି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ପାରାଦୀପଠାରୁ ୪୯୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା ‘ୟଶ’ । ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବର ୮୯୦ କିମି ଦୂରରେ ରହିଥିବା ବେଳେ ଦୀଘାଠାରୁ ୫୮୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ ରହିଛି ୟଶ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।