fbpx

ଓଡିଶାର ୩ ଜିଲ୍ଲାରେ କୋହଳ ହେଲା ‘ଲକଡାଉନ’ କଟକଣା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସଂକ୍ରମଣ କମିଥିବା ୩ ଜିଲ୍ଲାରେ ଲକଡାଉନ୍ କଟକଣା କୋହଳ କରାଯାଇଛି । ସେହି ୩ ଜିଲ୍ଲା ଯଥା- ନୂଆପଡା, ଗଜପତି ଓ ସୁନ୍ଦରଗଡରେ ଲକଡାଉନ୍ କଟକଣା କୋହଳ କରିଛନ୍ତି ସରକାର । ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଏହି ଜିଲ୍ଲାଗୁଡିକରେ ସେଲୁନ୍‌, ପାର୍ଲର ଓ ମଲକୁ ଛାଡି ସବୁ ଦୋକାନ ଖୋଲା ରହିବ । ୩ ଜିଲ୍ଲାରେ ସଂକ୍ରମଣ ବଢିଲେ ପୁଣି କଟକଣା ଲାଗୁ ହେବ । ୩ ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ । ଅନ୍ୟ ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ ।

ତେବେ ରାଜ୍ୟରେ ପୂର୍ବବତ୍ ଶନିବାର ଏବଂ ରବିବାର ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୂର୍ବପରି ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ ୨୦ ଜଣଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯିବ। ପୂର୍ବ ଲକ୍‌ଡାଉନ୍‌ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ପୂର୍ବଭଳି ଗ୍ୟାରେଜ୍ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି। କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ଓ୍ଵାଟର ପ୍ୟୁରିଫାୟର ମରାମତି ଦୋକାନା ଖୋଲା ରହିବ। ଏହି ପରି ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। କ୍ଷୀର ବିକିବାକୁ କେବଳ ଓମଫେଡ ଦୋକାନ ଖୋଲା ରହିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି। କିନ୍ତୁ ଓମଫେଡ ଦୋକାନରେ ଚା, କଫି ବିକ୍ରି ମନା।

ଏହା ସହ ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି। ଅଫିସ୍ କାର୍ଯ୍ୟ ପାଇଁ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ସରକାରୀ ଅଫିସ୍‌ରେ କର୍ମଚାରୀ ସଂଖ୍ୟା କମାଯିବ। ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍‌ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍‌ରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମାଯିବ। ବେସରକାରୀ, କର୍ପୋରେଟ୍ ଅଫିସ୍‌ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଲକ୍‌ଡାଉନ୍‌ରେ ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ।

Get real time updates directly on you device, subscribe now.