fbpx

ଇଂଲଣ୍ଡ ଗସ୍ତ ପୂର୍ବରୁ ବିରାଟଙ୍କ ହୁଙ୍କାର, କହିଲେ- ଦଳ ଉପରେ କୌଣସି ଚାପ ନାହିଁ

ମୁମ୍ବାଇ : ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ୍ ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ ବୁଧବାର ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଅନଲାଇନ୍‌ରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ ମୁକାବିଲା ଖେଳାଯିବ।

ବିରାଟ କୋହଲି କହିଛନ୍ତି, ଏହି ମୁକାବିଲା ପୂର୍ବରୁ ଦଳ ଉପରେ କୌଣସି ଚାପ ନାହିଁ। କିନ୍ତୁ ସେ ଏହା ମଧ୍ୟ ମାନିଛନ୍ତି ଯେ, ଟାଇଟଲ୍ ମୁକାବିଲା ସେତେଟା ସହଜ ହେବ ନାହିଁ। ଦଳ ସମ୍ମୁଖରେ ବଡ ଚ୍ୟାଲେଞ୍ଜ ରହିବ ବୋଲି କୋହଲି କହିଛନ୍ତି। ଫାଇନାଲ୍ ମୁକାବିଲା ପରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ତେବେ ଫାଇନାଲ୍ ମୁକାବିଲା ଏବଂ ଟେଷ୍ଟ ସିରିଜ୍ ମଧ୍ୟରେ ଲମ୍ବା ବ୍ୟବଧାନ ରହିଛି। ଏହି ସମୟକୁ ନିଜ ଖେଳ ଉପରେ ଧ୍ୟାନ ଦେବା, ବିଶ୍ରାମ ନେବା ଏବଂ ସ୍ଵାଧୀନ ଭାବେ ବୁଲିବାର ସୁଯୋଗ ମିଳିବ।  ଏହା ଆମ ପାଇଁ ବହୁତ ବଡ ସିରିଜ ବୋଲି ଭାରତୀୟ ଅଧିନାୟକ କହିଛନ୍ତି।

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଫାଇନାଲ୍ ଫର୍ମାଟକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଟାଇଟଲ୍ ମୁକାବିଲା ଗୋଟିଏ ମ୍ୟାଚ୍ ବଦଳରେ ତିନୋଟି ମ୍ୟାଚ୍ ହେବା ଉଚିତ୍। ଗୋଟିଏ ଖରାପ କିମ୍ବା ଭଲ ମ୍ୟାଚ୍‌ ଆପଣଙ୍କ ପ୍ରତିଭାର ପରିଚାୟକ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି।

ଭାରତୀୟ ଦଳ ମୁମ୍ବାଇରେ ୧୪ ଦିନ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ଆଜି ଇଂଲଣ୍ଡ ଗସ୍ତ କରିବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଇଂଲଣ୍ଡରେ ପହଞ୍ଚି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରୁଛି। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲା ପୂର୍ବରୁ ଏହା କିଓ୍ଵି ଦଳ ପାଇଁ ବେଶ୍ ସହାୟକ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ କହିଛନ୍ତି।

Get real time updates directly on you device, subscribe now.