ହୀନମନ୍ୟତାର ସୀମା ଟପିଲା: ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ମହିଳା ସାଂସଦଙ୍କୁ ପାର୍ଲାମେଣ୍ଟରୁ ତଡ଼ି ଦିଆଗଲା

ଡୋଡୋମା: ଆଜି ଆମେ ୨୦୨୧ରେ ଉପନୀତ ହୋଇସାରିଛେ । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚଳଣି ଆଦି କ୍ଷେତ୍ରରେ ଆମେ ବହୁ ଆଗରେ ପହଞ୍ଚିଛେ । ତଥାପି ଏବେ ମଧ୍ୟ ଅନେକ ସ୍ଥାନରେ ମହିଳାଙ୍କ ବେଶ ପୋଷାକକୁ ନେଇ ପ୍ରଶ୍ନ କରାଯାଉଥିବା ଦେଖିବାକୁ ମିଳିଛି । ତାଞ୍ଜାନିଆରେ ଜଣେ ମହିଳା ସାଂସଦଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ସାଂସଦଙ୍କୁ ପାର୍ଲାମେଣ୍ଟ କକ୍ଷରୁ ବାହାରକୁ ଯିବାକୁ କୁହାଯାଇଥିବା ଜଣାପଡ଼ିଛି ।

ଏହି ଘଟଣାକୁ ନେଇ ଅନଲାଇନରେ ଏକବଡ଼ଧରଣର ବିତର୍କ ସୃଷ୍ଟି ହୋଇଥିଲା । କଣ୍ଡେଷ୍ଟର ସିଚୱାଲେ ନାମକ ଏହି ମହିଳା ଜଣକ କଳା ରଙ୍ଗର ଟାଇଟ୍ ପ୍ୟାଣ୍ଟ ପିନ୍ଧିଥିଲେ । ତେଣୁ ତାଙ୍କର ପୋଷାକ ଉପଯୁକ୍ତ ନଥିବା ଦର୍ଶାଇ ତାଙ୍କୁ ପାର୍ଲାମେଣ୍ଟରୁ ତଡ଼ି ଦିଆଯାଇଥିଲା । ଶାସକ ଦଳର ସଦସ୍ୟମାନେ ସିଚୱାଲେଙ୍କ ପୋଷାକ ପରିଧାନକୁ ନେଇ ପ୍ରଶ୍ନ କରିଥିଲେ । ଜଣେ ସାଂସଦ ଏପରି ପୋଷାକ ପରିଧାନ କରିବା ଅନୁଚିତ ବୋଲି କହିଥିଲେ । ଏହାପରେ ପୋଷାକ ବଦଳାଇ ପୁଣି ଆସିବାକୁ ତାଙ୍କୁ କୁହାଯାଇଥିଲା । ମାତ୍ର ସିଚୱାଲେ ଘରକୁ ଯାଇ ପୁଣି ସଂସଦକୁ ଫେରିଛନ୍ତି କି ନା ତାହା ଜଣାପଡ଼ିନାହିଁ । ମହିଳାଙ୍କ ବେଶ, ପୋଷାକ ସମ୍ପର୍କିତ ନିଷ୍ପତ୍ତି ପୁରୁଷଙ୍କ ନ୍ୟସ୍ତ ରହିବା ଅନୁଚିତ ବୋଲି ଅନ୍ୟ ଜଣେ ମହିଳା କହିଥିଲେ । ଏହି ଖବର ଇଣ୍ଟରନେଣ୍ଟରେ ବିଜୁଳି ବେଗରେ ବ୍ୟାପିବା ସହ ଏହି ଘଟଣାର ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ଜଣାପଡ଼ିଛି ।