fbpx

ଓଡ଼ିଶାରେ ହଟିବ ଲକଡାଉନ୍? ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇ ପାରନ୍ତି ସରକାର

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଅପରପକ୍ଷେ ସରକାର ଟିକାକରଣକୁ ଜୋରଦାର କରିବାରେ ଲାଗିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ ସଂକ୍ରମଣ କମିବା ପରେ ଅନ୍ୟ ରାଜ୍ୟମାନଙ୍କ ପରି ଓଡ଼ିଶା ସରକାର ମଧ୍ୟ ଲକଡାଉନ ଉଠାଇବାକୁ ନିଷ୍ପତ୍ତି ନେଇପାରନ୍ତି । ତେବେ ରାଜ୍ୟରେ କରୋନାର ସ୍ଥିତିକୁ ନେଇ ସେପରି କିଛି ଆକଳନ କରିବା ଭୁଲ୍ । ଦୁଇଦିନ ସଂକ୍ରମଣ କମିବା ପରେ ରାଜ୍ୟରେ ପୁଣି ବଢ଼ୁଥିବା ଦେଖାଯାଉଛି । ମୋଟ ଉପରେ ଦେଖିଲେ ସଂକ୍ରମଣ ହାର କମିଥିବା ଜଣାପଡ଼ୁଛି । ତେବେ ବର୍ତ୍ତମାନ ରାଜ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ପଜିଟିଭ୍ କମୁଥିବା ବେଳେ ଅନ୍ୟପଟେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ବିଶେଷଜ୍ଞମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ରଜ, ସାବିତ୍ରୀ ପରେ ସରକାର ଲକଡାଉନ ଉଠାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଅପରପକ୍ଷେ, ଦିଲ୍ଲୀରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ସରକାର ପର୍ଯ୍ୟାୟକ୍ରମେ କଟକଣାକୁ କୋହଳ କରିବାକୁ ଆଗଭର ହୋଇଛନ୍ତି । ଆସନ୍ତାକାଲିଠାରୁ ଦିଲ୍ଲୀରେ ଦୋକାନ ବଜାର ଖୋଲିବ ବୋଲି କୁହାଯାଇଛି । ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଡ୍-ଇଭେନ୍ ସୂତ୍ରରେ ଦୋକାନ ବଜାର ଖୋଲିବ ବୋଲି ସୂଚନା ଦିଆଯାଇଥିବା ଜଣାପଡ଼ିଛି । ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ତେଣୁ ସରକାର ଲକଡାଉନ ଅବଧି ବୃଦ୍ଧି କରିବେ କି କୋହଳ କରିବେ ତାହା ଆଉ କିଛି ଦିନ ପରେ ଜଣାପଡ଼ିବ ।

Get real time updates directly on you device, subscribe now.