fbpx

ସାଂସଦ ନବନୀତଙ୍କୁ ବମ୍ବେ ହାଇକୋର୍ଟରୁ ଜୋରଦାର ଝଟକା, ଜାତି ପ୍ରମାଣପତ୍ର ଖାରଜ, ଲାଗିଲା ୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ବେ ହାଇକୋର୍ଟରୁ ଲାଗିଲା ଜୋରଦାର ଝଟକା । ଅଦାଲତ ନବନୀତଙ୍କ କାଷ୍ଟ ସାର୍ଟିଫିକେଟ୍ ବା ଜାତି ପ୍ରମାଣତ୍ର ଖାରଜ କରିଛନ୍ତି । ଏଥିସହ ନକଲି କାଗଜପତ୍ର ଦେଇ ଜାତି ପ୍ରମାଣପତ୍ର ତିଆରି କରିଥିବାର ଅଭିଯୋଗ ହୋଇଛି । ଏପରିକି ଅଦାଲତ ସାଂସଦଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି ।

ସୂଚନା ଅନୁଯାୟୀ, ନବଣୀତ ରାଣାଙ୍କ ଜାତି ପ୍ରମାଣପତ୍ରକୁ ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଂଚରେ ଆବେଦନ ଦାଖଲ କରାଯାଇଥିଲା । ଆବେଦନରେ ଅଭିଯୋଗ କରାଯାଇଥିଲା ଯେ, ନବନୀତ ରାଣା ପଞ୍ଜାବୀ ଅଟନ୍ତି। ଆବେଦନରେ କୁହାଯାଇଛି ଯେ, ସେ ଲବାନା ଜାତିର, ଯାହା ମହାରାଷ୍ଟ୍ରରେ ଏସସି ବର୍ଗରେ ଆସେ ନାହିଁ । ତେଣୁ ସେ ନକଲି କାଗଜପତ୍ର ଦେଇ ନିଜର ଜାତି ପ୍ରମାଣପତ୍ର କରିଛନ୍ତି । ନବନୀତଙ୍କ ବିରୋଧରେ ସ୍କୁଲରେ ନକଲି କାଗଜପତ୍ର ଦେଖାଇ ସାର୍ଟିଫିକେଟ୍ ତିଆରି କରିବାର ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ନବନୀତ ରାଣା କ୍ରମାଗତ ଚର୍ଚ୍ଚାରେ ରହି ଆସିଛନ୍ତି । ମୁମ୍ବାଇର ଆଂଟିଲିଆ କେସରେ ସେ ଶିବସେନାକୁ ନିଶାଣ କରିଥିଲେ । ତାଙ୍କ ଉପରେ ଶିବସେନା ଏସିଡ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଥିଲେ । ଏହି ବିଷୟକୁ ସେ ସଂସଦରେ ମଧ୍ୟ ଉଠାଇଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଉପସ୍ଥିତ ଥିଲେ ।

ନବନୀତ ରାଜନୀତିକୁ ଆସିବା ପୂର୍ବରୁ ମୋଡେଲିଂ ଦୁନିଆରେ ଥିଲେ । ୨୦୧୪ରେ ସେ ଏନସିପି ଟିକେଟରେ ଅମରାବତୀରୁ ନିର୍ବାଚନ ଲଢି ହାରିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ନିର୍ଦ୍ଦଳୀୟ ଭାବେ ମଇଦାନକୁ ଓହ୍ଲାଇ ବିଜୟୀ ହୋଇଥିଲେ । ତାଙ୍କ ସ୍ୱାମୀ ରବି ରାଣା ମହାରାଷ୍ଟ୍ରର ବିଧାୟକ ।

Get real time updates directly on you device, subscribe now.