fbpx

ମେସିଙ୍କୁ ପଛରେ ପକାଇଲେ ସୁନିଲ ଛେତ୍ରୀ, ଅନ୍ତର୍ଜାତୀୟ ମ୍ୟାଚରେ ଅଧିକ ଗୋଲ କରିବାରେ ଦ୍ୱିତୀୟ ସ୍ଥାନକୁ ଉଠିଲେ

ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ତାରକା ଷ୍ଟ୍ରାଇକର ସୁନିଲ ଛେତ୍ରୀ ଗୋଲ ଦେବାରେ ଆର୍ଜେଂଟିନା ଦଳର ସୁପର ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ୩୬ ବର୍ଷୀୟ ଛେତ୍ରୀ ସୋମବାର ଫିଫା ୨୦୨୨ ଓ ଏଏଫସି ଏସିଆ କପ ୨୦୨୩ର ଯୁଗ୍ମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ବାଂଲାଦେଶ ବିରୋଧରେ ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି । ଏହାକୁ ମିଶାଇ ତାଙ୍କର ଗୋଲ୍ ସଂଖ୍ୟା ୭୪ରେ ପହଂଚିଛି ।

ବିଶ୍ୱ କପ ଯୋଗ୍ୟତା ପର୍ଯ୍ୟାୟରେ ଗତ ଛଅ ବର୍ଷରେ ଭାରତର ପ୍ରଥମ ବିଜୟର ନାୟକ ସୁନିଲ ଛେତ୍ରୀ ସର୍ବାଧିକ ଗୋଲ କରିଥିବା ସକ୍ରିୟ ଖେଳାଳିଙ୍କ ତାଲିକାରେ ଦ୍ୱିତୀୟରେ ଅଛନ୍ତି । ପ୍ରଥମରେ ଅଛନ୍ତି ପର୍ତୁଗାଲର କ୍ରିଷ୍ଟିୟାନୋ ରୋନାଲ୍‌ଡା । ସେ ୧୦୩ ଗୋଲ୍ ସ୍କୋର କରିଛନ୍ତି । ଛେତ୍ରୀ ମେସିଙ୍କଠୁ ଦୁଇଟି ଏବଂ ୟୁଏଇର ଅଲି ମବଖୌତଙ୍କଠୁ ଗୋଟିଏ ଗୋଲ୍ ଆଗରେ ଅଛନ୍ତି । ମଖବୌତ ୭୩ ଗୋଲ୍ ସହ ତୃତୀୟରେ ଅଛନ୍ତି ।

ମେସି ଗତ ଗୁରୁବାର ଚିଲି ବିପକ୍ଷ ବିଶ୍ୱ କପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ୭୨ତମ ଅନ୍ତରାଷ୍ଟ୍ରୀୟ ଗୋଲ୍ ଦେଇଥିଲେ । ଛେତ୍ରୀ ସୋମବାର ଜାସିମ ବିନ ହମାଦ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ୭୯ତମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ । ପୁଣି ଇଂଜୁରୀ ଟାଇମରେ ଦ୍ୱିତୀୟ ଗୋଲ୍ ଦେଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଭାରତୀୟ ଅଧିନାୟକ ସର୍ବାଧିକ ଗୋଲ କରିଥିବା ଖେଳାଳିଙ୍କ ସର୍ବକାଳୀନ ତାଲିକାର ଶୀର୍ଷ ୧୦ରେ ପହଂଚିବା ପାଇଁ କେବଳ ଗୋଟିଏ ଗୋଲ୍ ପଛରେ ଅଛନ୍ତି । ସେ ହଙ୍ଗେରିର ସାଣ୍ଡୋ କୋକସିସ, ଜାପାନର କୁନିସିଗେ କମାମୋତୋ ଓ କୁଏତର ବାସର ଅବଦୁଲ୍ଲାଙ୍କଠୁ ଗୋଟିଏ ଗୋଲ୍ ପଛରେ ଅଛନ୍ତି । ଏହି ତିନି ଖେଳାଳି ସମାନ ୭୫ ଗୋଲ୍ କରିଛନ୍ତି ।

Get real time updates directly on you device, subscribe now.