fbpx

ସୋନୁ ସୁଦଙ୍କୁ ଜଣାଇବେ ଦୁଃଖ, ପଦଯାତ୍ରାରେ ବାହାରିଛନ୍ତି ତେଲେଙ୍ଗାନାର ଛାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ନାହିଁ ଯାହାର, ସାହା ନାହିଁ ତାହାର । ବଡ଼ ଦୁଃଖ ଯନ୍ତ୍ରଣାର ଜୀବନ ଯାହାର ମା’ ନାହିଁ । ସେଭଳି ଛାତ୍ର ଜୀବନରେ ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ଜଣେ ଯୁବକ ବାପାଙ୍କ ଭରସାରେ ଜୀଉଁଛନ୍ତି । କିନ୍ତୁ ଘର ଚଳାଇବା ପାଇଁ ବାପା ଯୋଗାଡ଼ କରିଥିବା ଏକ ଅଟୋ ରିକ୍ସାକୁ ଫାଇନାନ୍ସ କମ୍ପାନି ନେଇଯାଇଛି । ଫଳରେ ବାପ-ପୁଅ ଦୁହେଁ ଚଳିବା କଷ୍ଟକର ହୋଇପଡ଼ିଛି । ଏଭଳି ସଂକଟ କାଳରୁ ଉଦ୍ଧାର ପାଇଁ କିଛି ସାହାଯ୍ୟ ଆଶା ନେଇ ଘରୁ ପାଦ କାଢ଼ିଛନ୍ତି ଛାତ୍ର ଜଣଙ୍କ । ବିଶ୍ୱାସ ରଖିଛନ୍ତି ଭେଟିବେ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ। ଏହି ଲକ୍ଷ୍ୟ ନେଇ ହାଇଦ୍ରାବାଦରୁ ମୁମ୍ବାଇ ଅଭିମୁଖେ ସେ ପଦଯାତ୍ରାରେ ବାହାରିଛନ୍ତି ।

ସୂଚନା ଅନୁସାରେ ତେଲେଙ୍ଗାନା ବିକାରବାଦ ଜିଲ୍ଲାର ସମ୍ପୃକ୍ତ ଛାତ୍ରଙ୍କ ନାଁ ହେଉଛି ଭେଙ୍କଟେସ୍ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ଭେଙ୍କଟେସ୍ ଦୋମା ମଣ୍ଡଳ ଅନ୍ତର୍ଗତ ଦୋରାନପଲ୍ଲୀ ଗାଁରେ ରୁହନ୍ତି । ତାଙ୍କ ମା’ଙ୍କ ପରଲୋକ ଘଟିଥିବାବେଳେ ବାପା ଫାଇନାନ୍ସରେ ଆଣିଥିଲେ ଏକ ଅଟୋ । ତେବେ କିସ୍ତି ପଇଠ କରିନପାରିବାରୁ ଫାଇନାନ୍ସ ସଂସ୍ଥା ସେହି ଅଟୋକୁ ନେଇଗଲା । ଫଳରେ ବାପାଙ୍କ ହତାଶ ଅବସ୍ଥା ଦେଖି ଭେଙ୍କଟେସ୍ ମଧ୍ୟ ପୂରା ଭାଙ୍ଗି ପଡ଼ିଛନ୍ତି । ତେବେ ସେ ଭଲ ପାଉଥିବା ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ଈଶ୍ୱର ଭଳି ବିଚାର କରନ୍ତି । ତେଣୁ ନିଜ ଦୁଃଖ ତାଙ୍କୁ ଜଣାଇବା ପାଇଁ ସେ ହାଇଦ୍ରାବାଦରୁ ଚାଲିଚାଲି ମୁମ୍ବାଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ହାଇଦ୍ରାବାଦରୁ ମୁମ୍ବାଇ ୭ଶହ କିଲୋମିଟରରୁ ଅଧିକ ଦୂର । ତେବେ ସେ ଭେଙ୍କଟେସ୍ ଭରସା ରଖିଛନ୍ତି ଯେ ସେ ନି ପଦଯାତ୍ରାରେ ସଫଳ ହେବେ । ହାତରେ ଏକ ପ୍ଲାକାର୍ଡ ନେଇ ଆଗେଇ ଚାଲିଛନ୍ତି ତେଲଙ୍ଗାନାରେ ଏହି ଛାତ୍ର ଜଣଙ୍କ ।

Get real time updates directly on you device, subscribe now.