fbpx

ଚୋରି କରି ବନ୍ଧାହେଲେ ୨ ଅଭିନେତ୍ରୀ, କ୍ରାଇମ୍ ପେଟ୍ରୋଲ୍ ରେ କରୁଥିଲେ ଅଭିନୟ

ମୁମ୍ବାଇ: ପରିସ୍ଥିତିରେ ପଡ଼ି ମଣିଷ କିଛି ବି କରିଦେଇପାରେ । ଏଭଳି ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳୁଛି । ସେହିଭଳି ଟିଭି ଧାରାବାହିକର ଅଭିନୟ କରୁଥିବା ଦୁଇ ଅଭିନେତ୍ରୀ ଚୋରି ଅଭିଯୋଗରେ ଗିରଫ ହେବା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ମୁମ୍ବାଇ ପୋଲିସ୍ ଗିରଫ କରୁଥିବା ୨ ଯୁବତୀ ଲୋକପ୍ରିୟ ଟିଭି ସିରିଏଲ୍ ‘କ୍ରାଇମ୍ ପେଟ୍ରୋଲ୍’ରେ ଅଭିନୟ କରୁଥିଲେ । ଏଥିସହ ଅନ୍ୟ କେତେକ ଅପରାଧ ପୃଷ୍ଠଭୂମି ଉପରେ ପ୍ରସ୍ତୁତ ଟିଭି କାର୍ଯ୍ୟକ୍ରମରେ କାମ କରିଥିବା ଜଣାପଡ଼ିଛି । ତେବେ ରିଲ୍ ରେ ରୋଲ୍ କରୁକରୁ ରିଅଲ୍ ଲାଇଫ୍ ରେ ଅପରାଧିକ କାର୍ଯ୍ୟ କରିବା ନେଇ ଏବେ ସବୁଠି ଚର୍ଚ୍ଚା ।

ସୂଚନା ଅନୁସାରେ ମହାମାରୀ କରୋନା ପାଇଁ ସାରା ଦେଶରେ ଲାଗିଥିଲା କଡ଼ା କଟକଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇ ବସିଥିଲେ ଦୁଇ ଯୁବତୀ । ପରିସ୍ଥିତିରେ ପଡ଼ି ସେମାନେ ଖୋଜିଥିଲେ ଉପାୟ । ଆଉ ପେଇଙ୍ଗ୍ ଗେଷ୍ଟ ଭାବେ ରହିବା ଆଳରେ ଚୋରି କରିଥିବା ହୋଇଛି ଅଭିଯୋଗ । ଏପରିକି ସେମାନେ ରହିଥିବା ବ୍ୟକ୍ତିଙ୍କ ଘରୁ ଲକର୍ ଭାଙ୍ଗି ୩ଲକ୍ଷ ୨୮ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି । ଘଟଣାଟି ଗତ ମେ ୧୮ ତାରିଖର । ସମ୍ପୃକ୍ତ ୨ ଅଭିନେତ୍ରୀ ଆରେ କଲୋନୀ ଅନ୍ତର୍ଗତ ରୟାଲ୍ ପାମ୍ ଅଞ୍ଚଳରେ ଥିବା ଏକ ବିଲଡିଂକୁ ପେଇଙ୍ଗ୍ ଗେଷ୍ଟ ହୋଇ ଯାଇଥିଲେ । ତେବେ ସେଠାରେ ପୂର୍ବରୁ ପେଇଙ୍ଗ ଗେଷ୍ଟ ଥିବା ଜଣେ ବ୍ୟକ୍ତିଙ୍କ ଲକର୍ ଭାଙ୍ଗି ୩.୨୮ ଲକ୍ଷ ଟଙ୍କା ନେଇ ଚମ୍ପଟ ହୋଇଯାଇଥିଲେ ।

ପୋଲିସ୍ ତନାଘନା ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏଥିସହ ସମ୍ପୃକ୍ତ ୨ ଅଭିନେତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ପୋଲିସ୍ ଆଗରେ ସେମାନେ ନିଜ ଭୁଲ୍ ସ୍ୱୀକାର କରିନେଇଛନ୍ତି । ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ ଚର୍ଚ୍ଚିତ ଶୋ’ କ୍ରାଇମ୍ ପେଟ୍ରୋଲ୍, ସାବଧାନ ଇଣ୍ଡିଆ ସମେତ ଅନେକ ଟିଭି କାର୍ଯ୍ୟକ୍ରମରେ ଦୁଇ ଅଭିନେତ୍ରୀ କାର୍ଯ୍ୟ କରିଛନ୍ତି । ତେବେ ଲକଡାଉନ୍ରେ ପରିସ୍ଥିତି ବିଗିଡ଼ିବାରୁ ସେମାନେ ଏଭଳି କରିନେଇଥିବା କହିଛନ୍ତି । ଅନ୍ୟପକ୍ଷରେ ସେମାନଙ୍କଠାରୁ ଚୋରି ଟଙ୍କା ମଧ୍ୟରୁ ୫୦ ହଜାର ଜବତ କରାଯାଇଛି ଏବଂ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜୁନ୍ ୨୩ ପର୍ଯ୍ୟନ୍ତ ପୋଲିସ୍ ହେପାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.