fbpx

ଉଛୁଳା ନଦୀରେ ବନ୍ଦ ହୋଇଗଲା ଡଙ୍ଗାର ଇଞ୍ଜିନ, ସୂତା ଖିଅରେ ଥିଲା ୧୫୦ ଯାତ୍ରୀଙ୍କ ଜୀବନ, ଚାରିଆଡେ ଶୁଭୁଥିଲା ଚିତ୍କାର

କୁଶିନଗର : ଉତ୍ତର ପ୍ରଦେଶର କୁଶିନଗରରେ ଆସିଥିବା ବନ୍ୟାରେ ନାରାୟଣୀ ନଦୀ ଫୁଲି ଉଠିଛି। ହେଲେ ଗୁରୁବାର ରାତିରେ ଏକ ବଡ  ଅଘଟଣ ଘଟିଛି। ନଦୀର ମଝାମଝି ଏକ ଡଙ୍ଗାର ଇଞ୍ଜିନ ବନ୍ଦ ହୋଇ ଯିବାରୁ ଶତାଧିକ ଯାତ୍ରୀଙ୍କ ଜୀବନ ବିପଦରେ ପଡି ଯାଇଥିଲା। କିଛି ସମୟ ପାଇଁ ଲୋକଙ୍କ ନିଃଶ୍ଵାସ ଅଟକି ଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଯାତ୍ରୀ ପ୍ରାଣ ବିକଳ ଚିତ୍କାର କରିବାରେ ଲାଗିଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଦୌଡିଥିଲେ।  ଡଙ୍ଗାରେ ପ୍ରାୟ ୧୫୦ ଯାତ୍ରୀ ଥିଲେ। ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହାୟତାରେ ଛୋଟ ଡଙ୍ଗାରେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ରାତି ସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ସକାଳ ୭ଟା ଯାଏଁ ଚାଲିଥିଲା। ଡଙ୍ଗାରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଏହି ଡଙ୍ଗା ତମକୁଡହି ତହସିଲର ବରଭା ପଟିଘାଟରୁ ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ ୧୫୦ ଲୋକଙ୍କୁ ଧରି ନାରାୟଣୀ ନଦୀ ଅତିକ୍ରମ କରୁଥିଲା। ହେଲେ ନଦୀର ମଧ୍ୟଭାଗରେ ଡଙ୍ଗାର ଡିଜେଲ୍ ପାଇପ୍ ଫାଟି ଯିବାରୁ ଡିଜେଲ୍ ପାଣିରେ ମିଶି ଯାଇଥିଲା ଏବଂ ଇଞ୍ଜିନ ବନ୍ଦ ହୋଇ ଯାଇଥିଲା। ନଦୀରେ ଜଳ ପ୍ରବାହ କ୍ଷୀପ୍ର ଥିବାରୁ ଡଙ୍ଗା ଭାସିବାରେ ଲାଗିଥିଲା। ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଭାସି ଡଙ୍ଗାଟି ଅମଭା ଦିଗର ଘାଟରେ ଯାଇ ପହଞ୍ଚିଥିଲା।

ଡଙ୍ଗାରେ ଥିବା ୧୫୦ ଜଣଙ୍କ ଜୀବନ ବିପଦରେ ପଡି ଯାଇଥିଲା। ପ୍ରାଣ ବିକଳରେ ସମସ୍ତେ  ଚିତ୍କାର କରିବାରେ ଲାଗିଥିଲେ। କଣ ଘଟୁଛି କେହି କିଛି ବୁଝି ପାରୁନଥିଲେ। ଲୋକଙ୍କ ଆକୁଳ ଚିତ୍କାର ଶୁଣିବା ପରେ ଆଖପାଖର ଲୋକେ ଘଟଣାସ୍ଥଳରେ ପହଞ୍ଚି ଛୋଟ ଡଙ୍ଗା ଧରି ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଘଟଣାର ଖବର ପାଇ ପ୍ରଶାସନର ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜୋରଦାର କରିଥିଲେ। ଜିଲ୍ଲାପାଳ ଓ ଏସପି ମଧ୍ୟ ନଦୀ କୂଳରେ ପହଞ୍ଚି ରାତି ସାରା ରେସ୍କ୍ୟୁ ଅପରେସନ ଚଳାଇଥିଲେ। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫର ଦଳକୁ ମଧ୍ୟ ଡକାଯାଇଥିଲା। ସକାଳ ସାତଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Get real time updates directly on you device, subscribe now.