ଭୁବନେଶ୍ଵର: କରୋନା ମହାମାରୀ ସମୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ବାରମ୍ବାର ସରକାରଙ୍କ ପକ୍ଷରୁ ଅପିଲ୍ ଓ ସଚେତନ କରାଯାଉଛି। ଅଫିସ କାର୍ଯ୍ୟାଳୟ, ଦୋକାନ ବଜାର, ହାଟ ସବୁଠି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ କିଛି ଅମାନିଆ ମାସ୍କ ପିନ୍ଧିବାକୁ ନାରାଜ। ପୋଲିସ ମଧ୍ୟ ଅମାନିଆଙ୍କଠୁ ଚାଲାଣ କାଟୁଛି। ଏହି କ୍ରମରେ ମାସ୍କ ପିନ୍ଧାକୁ ନେଇ ଘଟି ଯାଇଛି ବଡ ଘଟଣା। ଗ୍ରାହକ ମାସ୍କ ନ ପିନ୍ଧି ବ୍ୟାଙ୍କ ଆସିବାରୁ କ୍ଷୁବ୍ଧ ଗାର୍ଡ ଗୁଳି କରିଛନ୍ତି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲିରେ ବ୍ୟାଙ୍କ ଅଫ ବରୋଦାର ଆଞ୍ଚଳିକ ଶାଖାରେ।
ଶୁକ୍ରବାର ବିନା ମାସ୍କରେ ବ୍ୟାଙ୍କକୁ ଆସିଥିବା ଜଣେ ଯୁବକଙ୍କୁ ଗାର୍ଡ ଗୁଳି କରିଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ବିନା ମାସ୍କରେ ବ୍ୟାଙ୍କ ଆସିବାରୁ ଯୁବକ ଏବଂ ଗାର୍ଡ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଗାର୍ଡ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ।
ବରେଲି ଜଙ୍କସନ ନିକଟରେ ନର୍ଥ ରେଲଓ୍ଵେ କଲୋନୀ ନିବାସୀ ରାଜେଶ କୁମାର ରାଠୋର(୩୫) ଟେଲିକମ ବିଭାଗରେ ହେଲପର ଭାବେ କାର୍ଯ୍ୟରତ। ଶୁକ୍ରବାର ସକାଳେ ସିଭିଲ ଲାଇନ୍ ସ୍ଥିତ ବ୍ୟାଙ୍କ ଅଫ ବରୋଦାର ଆଞ୍ଚଳିକ କାର୍ୟ୍ୟାଳୟ ଯାଇଥିଲେ। ହେଲେ ମାସ୍କ ନପିନ୍ଧି ସେ ବ୍ୟାଙ୍କ ଭିତରକୁ ପଶି ଯାଇଥିଲେ। ଏହାକୁ ନେଇ ଗାର୍ଡ ଏବଂ ତାଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ରାଜେଶ ଫେରି ଯାଇଥିଲେ। କିନ୍ତୁ ପୁଣି ଥରେ ସେ ବିନା ମାସ୍କରେ ବ୍ୟାଙ୍କକୁ ଯାଇଥିଲେ। ଗାର୍ଡ କେଶବ କୁମାର ବିନା ମାସ୍କରେ ବ୍ୟାଙ୍କ ଭିତରକୁ ଯାଇ ପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ପୁଣି ଥରେ ଦୁହିଁଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ଟଣାଓଟରା ମଧ୍ୟ ହୋଇଥିଲା। କଥା ଏତେ ବିଗିଡିଗଲା ଯେ, ଉତକ୍ଷୀପ୍ତ ହୋଇ ଗାର୍ଡ କେଶବ କୁମାର ରାଜେଶଙ୍କ ଉପରକୁ ଗୁଳି କରିଥିଲେ। ସୌଭାଗ୍ୟବଶତଃ ଗୁଳି ରାଜେଶଙ୍କ ବାମ ଗୋଡରେ ବାଜିଥିଲା।
ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ କୋତବାଲି ଥାନା ଅଧିକାରୀ ଓ ସବ ଇନ୍ସପେକ୍ଟର ପୋଲିସ ଦଳ ସହ ବ୍ୟାଙ୍କ ପହଞ୍ଚିଥିଲେ। ଆହତ ରାଜେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗାର୍ଡ କେଶବଙ୍କୁ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଛି। କେଶବ କହିଛନ୍ତି, ବନ୍ଧୁକରେ ଗୁଳି ଭର୍ତ୍ତି ଥିଲା। ଏହି କାରଣରୁ ଗୁଳି ଫୁଟିଥିଲା। ସେ ଜାଣିଶୁଣି ରାଜେଶକୁ ଗୁଳି କରି ନାହାନ୍ତି ବୋଲି କହିଛନ୍ତି।