ମେ ୪ ପରଠୁ ୩୨ ଥର ବଢିଲାଣି ତେଲ ଦାମ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଯାଚିକା ଦାୟର

ଭୁବନେଶ୍ଵର : ଦେଶରେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ତୈଳ ଦର। ଲଗାମ ବିହୀନ ହୋଇ ଯାଇଛି ପେଟ୍ରୋଲ-ଡିଜେଲ ଦାମ। ଏହି କ୍ରମରେ ବିହାରର ମୁଜଫରପୁର ଜିଲ୍ଲାର ଏକ ଅଦାଲତରେ ପେଟ୍ରେଲ-ଡିଜେଲ୍ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏକ ଯାଚିକା ଦାଖଲ କରାଯାଇଛି। ଅଦାଲତ ମାମଲାର ଶୁଣାଣି ପାଇଁ ଜୁଲାଇ ୩ ତାରିଖ ନିର୍ଦ୍ଧାରିତ କରିଛନ୍ତି।

ମୁଜଫରପୁରର ଜିଜେଏମ(ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ)ଙ୍କ ଅଦାଲତରେ ତମନ୍ନା ହାସମି ନାମକ ବ୍ୟକ୍ତି  କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଆବେଦନ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ପେଟ୍ରୋଲିୟମ ଉତ୍ପାଦକ ଦେଶଗୁଡିକରେ ଅଶୋଧିତ ତୈଳ ମୂଲ୍ୟ କମ ହେବା ପରେ ବି କ୍ରମାଗତ ଏକ ଷଡଯନ୍ତ୍ର ଆଧାରରେ ଭାରତରେ ପେଟ୍ରୋଲ-ଡିଜେଲ୍ ଦାମ ଅହେତୁକ ଭାବେ ବଢି ଚାଲିଛି। ହାସମି ନିଜ ଆବେଦନରେ ଆଇପିସି ଧାରା ୪୨୦, ୨୯୫, ୨୯୫ ଏ ଓ ୫୧୧ ଆଧାରରେ କେସ୍ ଚଲାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି, କ୍ରମାଗତ ବଢୁଥିବା ତୈଳ ଦରରେ ଲୋକେ ଭୟଭୀତ ଏବଂ ଆକ୍ରୋଶିତ।

ମେ ୪ ପରଠୁ ଆଜି ପର୍ଯ୍ୟନ୍ତ ଡିଜେଲ୍-ପେଟ୍ରୋଲ୍  ଦାମ ୩୨ ଥର ବଢି ସାରିଛି। ମଙ୍ଗଳବାର ମଧ୍ୟ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ୍ ୨୮ ପଇସା ବୃଦ୍ଧି ଘଟିଛି। ଏହା ପୂର୍ବରୁ ତେଲ କମ୍ପାନୀ ରବିବାର ପେଟ୍ରୋଲ ଉପରେ ଲିଟର ପିଛା ୩୫ ପଇସା ବଢାଇଥିଲେ। ଡିଜେଲ୍ ମଧ୍ୟ ୨୫ ପଇସା ମହଙ୍ଗା ହୋଇଥିଲା। ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଅତିକ୍ରମ କରି ସାରିଛି। ଓଡିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୯ ଛୁଇଁଲାଣି। ଲାଗୁଛି ଏହି ସପ୍ତାହ ଭିତରେ ପେଟ୍ରୋଲ ଶତକ ଛୁଇଁବ।

ସୂଚନାଯୋଗ୍ୟ, ସରକାର କ୍ରମାଗତ କହି ଆସୁଛନ୍ତି ଯେ, ତେଲ ଦାମ ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ। କିନ୍ତୁ ଯେତେବେଳେ ନିର୍ବାଚନ ଆସୁଛି ପେଟ୍ରୋଲ-ଡିଜେଲ୍ ଦାମ୍ ସ୍ଥିର ରହୁଛି। ତେଲ ଦର ବଢିବା ଜାଗାରେ ହ୍ରାସ ଘଟୁଛି। ନିର୍ବାଚନ ସରିବା ପରେ ପୁଣି ପେଟ୍ରୋଲ-ଡିଜେଲ୍ ଦାମ  ବଢିବାରେ ଲାଗୁଛି। ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟ ନିର୍ବାଚନ ସମୟରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.