ପ୍ରିୟଙ୍କା ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧୁ, ବନ୍ଦ ହେବ କି ପଞ୍ଜାବ କଂଗ୍ରେସରେ ମତଭେଦ?

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେବି ଶାସକ କଂଗ୍ରେସ ଦଳରେ ଜାରି ରହିଛି ଅର୍ନ୍ତକନ୍ଦଳ । ସେପଟେ ଆଜି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ତାଙ୍କ ବାସଭବନଠାରେ ଭେଟିଛନ୍ତି। ଏହାପୂର୍ବରୁ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ।

ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ସଂଗଠନ କିମ୍ବା ସରକାରରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ସିଦ୍ଧୁଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସିଦ୍ଧୁ ତାଙ୍କ ସହ କାମ କରିପାରିବେ ନାହିଁ ବୋଲି ଜିଦ୍ ଧରିଛନ୍ତି। ଗତ ସପ୍ତାହରେ ସିଦ୍ଧୁ ଏବଂ ଅନ୍ୟ କିଛି ପଞ୍ଜାବ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ବିରୋଧ କରିଥିଲେ ।

ସିଦ୍ଧୁ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁରୁ ଗ୍ରନ୍ଥ ସାହେବ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ଏବଂ ଦୁର୍ନୀତି ରୋକିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇ ନାହିଁ। ପଞ୍ଜାବରେ କଂଗ୍ରେସର ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାସର ଏକ ଅଂଶ ଭାବରେ ରାହୁଲ ଗାନ୍ଧୀ ଗତ କିଛି ଦିନ ମଧ୍ୟରେ ଅନେକ ଦଳର ନେତାଙ୍କ ସହ ସମୀକ୍ଷା କରିଥିଲେ। ଦଳର ତିନି ସଦସ୍ୟ ବିଶିଷ୍ଟ କମିଟି ୧୦୦ ରୁ ଅଧିକ ନେତା ତଥା ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।