fbpx

ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲେ ବାମଦଳ, ସାମିଲ୍ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଅହେତୁକ ଦରବୃଦ୍ଧି ଘଟି ଚାଲିଛି । ଫଳରେ ଏହା ଜନସାଧାରଣଙ୍କୁ ବୋଝ ହୋଇଯାଇଛି । ଗୋଟିଏ ପଟେ କରୋନା ମହାମାରୀ ପାଇଁ ଲୋକେ ରୋଜଗାର ହରାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଖୁବ୍ ବାଧୁଛି । ଏହାର ପ୍ରତିବାଦରେ ବାମପନ୍ଥୀ ଓ ବିରୋଧ ଦଳ ଗୁଡ଼ିକ ଆନ୍ଦୋଳନ ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଆଜି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ପଡ଼ିଥିଲା ।

ରାଜଧାନୀରେ ମଧ୍ୟ ଏଭଳି ବନ୍ଦ ପାଳନ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିପିଆଇ, ସିପିଏମ୍, ସିପିଆଇ(ଏମ୍ଏଲ୍) ଲିବରେସନ୍ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଫକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ କଂଗ୍ରେସ ମଧ୍ୟ ସାମିଲ ହୋଇଥିଲା । ଭୁବନେଶ୍ୱର ଜୟଦେବ ବିହାର, ମାଷ୍ଟରକ୍ୟାଣ୍ଟିନ ଛକ ଆଦି ପ୍ରମୁଖ ସ୍ଥାନରେ ରାସ୍ତାବନ୍ଦ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିଲା । ବିଗତ ଏକବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୫୦ରୁ ଅଧିକ ଥର ବୃଦ୍ଧି ପାଇଛି । ସେହିପରି ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପ୍ରତି ୨୬୦ଟଙ୍କା ବୃଦ୍ଧି ପାଇଲାଣି । ତୁରନ୍ତ ମୂଲ୍ୟ ହ୍ରାସ କରିବାକୁ ବିକ୍ଷୋଭକାରୀ ଦାବି କରିବା ସହ ମୋଦୀ ସରକାର ଜନତାଙ୍କୁ ମାରିସାରିଲେଣି ବୋଲି ଅଭିଯୋଗ କରାଯାଇଥିଲା ।

Get real time updates directly on you device, subscribe now.