fbpx

ଆସନ୍ତା ୨୦ରୁ ଶସ୍ତା ହେବ ଏହିସବୁ ସାମଗ୍ରୀ, କେନ୍ଦ୍ରର ଘୋଷଣା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦରବୃଦ୍ଧିରେ ହନ୍ତସନ୍ତ ହୋଇଗଲେଣି ଜନତା । ହୁ ହୁ ହୋଇବଢ଼ି ଚାଲିଛି ବିଭିନ୍ନ ସାମଗ୍ରୀ । ଏଥିରେ ନିୟନ୍ତ୍ରଣ ଆସୁନଥିବାରୁ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିଲାଣି ଏବଂ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ ମଧ୍ୟ କଲେଣି । ତେବେ ଏହାରି ମଧ୍ୟ କେନ୍ଦ୍ର ସରକାର କରିଛନ୍ତି ଏକ ବଡ଼ ଘୋଷଣା । ଆସନ୍ତା ୨୦ରୁ ଶସ୍ତା ହେବ ବିଭିନ୍ନ ସାମଗ୍ରୀ । ବିଶେଷକରି ମେଡିକାଲ୍ ଉପକରଣଗୁଡ଼ିକର ମୂଲ୍ୟ ହ୍ରାସ ହେବାକୁ ଯାଉଛି ।

କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବିଭିନ୍ନ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରର ବ୍ୟବସାୟିକ ମାର୍ଜିନ ୭୦ ପ୍ରତିଶତରେ ସୀମିତ କରାଯାଇଛି । ଫଳରେ ଏହି ଉପକରଣଗୁଡ଼ିକ ଶସ୍ତା ହେବାକୁ ଯାଉଛି । ହୋମ୍ ଆଇସୋଲେସନରେ ଥିବା କିମ୍ବା ଚିକିତ୍ସିତ ହେଉଥିବା କରୋନା ରୋଗୀ ନିୟମିତ ରକ୍ତଚାପ, ରକ୍ତ ଶର୍କରା, ଅକ୍ସିଜେନ ସ୍ତର ଏବଂ ଶରୀରର ତାପମାତ୍ରା ମାପିବା ପାଇଁ ଉପରୋକ୍ତ ଉପକରଣଗୁଡ଼ିକ ଆବଶ୍ୟକ କରିଥାନ୍ତି । ତେଣୁ ଏହି ସବୁର ଚାହିଦା ବହୁତ ବଢ଼ିଯାଇଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ତଥ୍ୟ ଅନୁଯାୟୀ ଡିଷ୍ଟ୍ରିବ୍ୟୁଟରଙ୍କୁ ଦିଆଯାଉଥିବା ମୂଲ୍ୟଠାରୁ ଖୁଚୁରା ମୂଲ୍ୟ ଅଧିକ ରହୁଛି ।

ସଂଶୋଧିତ ମୂଲ୍ୟ ଜୁଲାଇ ୨୦ରୁ ଲାଗୁ ହେବାକୁ ଥିବାବେଳେ ୨୦୨୨ ଜାନୁଆରି ୩୧ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ । ସେହି ଅନୁଯାୟୀ ମେଡିକାଲ ଉପକରଣ ଉତ୍ପାଦନକାରୀ କମ୍ପାନି ଉପକରଣ ଗୁଡ଼ିକର ଏମ୍ଆରପି ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.