fbpx

ଗାନ୍ଧୀ ପରିବାର ହାତରୁ ଯିବ ଦଳର ଦାୟିତ୍ୱ ! ମଙ୍ଗ ଧରି ପାରନ୍ତି କମଲନାଥ

ଓଡ଼ିଶା ଭାସ୍କର ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ନିଜର ପୂର୍ଣ୍ଣକାଳୀନ ସଭାପତି ଚୟନ କରି ପାରି ନାହିଁ । ଦୀର୍ଘ ଦିନ ହେବ ଦଳର ସାଂଗଠନିକ ପରିବର୍ତ୍ତନ ମଧ୍ୟ ହୋଇ ନାହିଁ । ଏହାକୁ ନେଇ ଦଳରେ ଅସନ୍ତୋଷର ସ୍ୱର ବଢିବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସ ପରିବାରର ସବୁଠୁ ଘନିଷ୍ଠ କୁହାଯାଉଥିବା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଗୁରୁବାର ଦିଲ୍ଲୀରେ ପାର୍ଟିର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ସୋନିଆଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତର ପ୍ରଦେଶ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ । ବିଶେଷ ସୂତ୍ର ଅନୁଯାୟୀ, କମଲନାଥଙ୍କୁ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ କରାଯାଇପାରେ । ଯଦି ଏମିତି ଘଟେ ତେବେ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର କଂଗ୍ରେସର ଦାୟିତ୍ୱ ଗାନ୍ଧୀ ପରିବାର ବାହାରକୁ ଯିବ ।୧୯୯୮ରେ ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରାଯିବା ପରଠୁ କଂଗ୍ରେସ ପାର୍ଟିର ନେତୃତ୍ୱ ଗାନ୍ଧୀ ପରିବାର ହାତରେ ହିଁ ରହିଛି ।

ବୈଠକକୁ ନେଇ ଏହି କଳ୍ପନା ଜଳ୍ପନା ଜାରି ରହିଛି ଯେ, କଂଗ୍ରେସ ନିକଟ ଭବିଷ୍ୟତରେ ପାର୍ଟିରେ ବଡ ଧରଣର ଅଦଳବଦଳ କରିପାରେ । ପାର୍ଟି ସୂତ୍ର ଅନୁଯାୟୀ ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯାଇପାରେ । ୨୦୧୯ ଲୋକସଭା ନିର୍ବାଚନରେ ଦଳ ହାରିବା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେଠୁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧୀ ପାର୍ଟିର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ହେଲେ ମଝିରେ ମଝିରେ ପାର୍ଟିର ଅନେକ ବରିଷ୍ଠ ନେତା ସାଙ୍ଗଠନିକ ନିର୍ବାଚନକୁ ନେଇ ନିଜର ଅସନ୍ତୋଷ ଜାହିର କରିବା ସହ ସ୍ୱର ମଧ୍ୟ ଉଠାଇଛନ୍ତି । ଏପରିକି ୨୩ ଜଣ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜର ଦାବି ଜଣାଇ ସାରିଛନ୍ତି ।

ଉଲ୍ଲେଖନୀୟ ପାର୍ଟିରେ କମଲନାଥଙ୍କ ପତିଆରା ରହିବା ସହ ଦଳୀୟ ହାଇକମାଣ୍ଡଙ୍କ ପ୍ରତି ବିଶ୍ୱାସଭାଜନ ରହି ଆସିଛନ୍ତି । ଦଳର ଅନ୍ୟ ସମସ୍ତ ବରିଷ୍ଠ ନେତାଙ୍କ ସହ ତାଙ୍କର ସୁସଂପର୍କ ମଧ୍ୟ ରହିଛି । ୨୦୦୨ରେ ତାଙ୍କୁ ଦଳର ସାଧାରଣ ସଂପାଦକ କରାଯାଇଥିଲା । ଦୀର୍ଘ ସମୟ ଧରି ଗାନ୍ଧୀ ପରିବାର ସହ ତାଙ୍କର ଘନିଷ୍ଠ ସଂପର୍କ ରହିଛି । ଏଥିସହ କମଲନାଥ ରାହୁଲ ଗାନ୍ଧୀଙ୍କ ମନ ପସନ୍ଦର ନେତା ଭାବେ ପରିଗଣିତ । ମଧ୍ୟ ପ୍ରଦେଶର ଛିନ୍ଦବାଡାରୁ ୯ ଥର ଲୋକସଭା ସାଂସଦ ରହିଥିବା କମଲନାଥଙ୍କୁ ୨୦୧୮ରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ ୨୦୨୦ରେ କମଲନାଥ ସରକାର ଭଙ୍ଗ ହୋଇଥିଲା ଏବଂ ପୁଣି ଥରେ କ୍ଷମତା ବିଜେପି ହାତକୁ ଚାଲି ଯାଇଥିଲା ।

କମଲନାଥଙ୍କୁ ଦାୟିତ୍ୱ ଦେଇ ଏକ ଗୁଳିରେ ତିନି ଶିକାର କରିବାକୁ ଚାହାନ୍ତି ସୋନିଆ

କଂଗ୍ରେସ ପାର୍ଟିର ଏକ ଗୋଷ୍ଠୀ ୨୦୨୦ ପରଠୁ ରାହୁଲ ଗାନ୍ଧୀଙ୍କୁ ପୁନର୍ବାର ଅଧ୍ୟକ୍ଷ କରିବା ନେଇ ଦାବି କରି ଆସୁଛନ୍ତି । ହେଲେ ରାହୁଲ ଖୋଦ୍ ଏଥିପାଇଁ ରାଜି ନାହାନ୍ତି । ଅନ୍ୟପଟେ ସୋନିଆ ଗାନ୍ଧୀ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପାର୍ଟିରେ ଅଧିକ ସକ୍ରିୟ ହୋଇ ପାରୁ ନାହାନ୍ତି । ପରୋକ୍ଷରେ ଅନେକ ନେତା ସାର୍ବଜନୀନ ଭାବେ ଦଳରେ ସାଂଗଠନିକ ନିର୍ବାଚନ କରିବାକୁ ଦାବି କରୁଛନ୍ତି । କେଇ କେଇ ତ ପରୋକ୍ଷରେ କହିଲେଣି ଯେ, ପାର୍ଟିର ଦାୟିତ୍ୱ ଏବେ ଗାନ୍ଧୀ ପରିବାରର ବାହାର ବ୍ୟକ୍ତିଙ୍କୁ ଦିଆଯାଉ । ଏମିତିରେ ସୋନିଆ ଗାନ୍ଧୀ କମଲନାଥଙ୍କୁ ଅଧ୍ୟକ୍ଷ କରି ଗୋଟିଏ ତୀରରେ ତିନି ଶିକାର କରି ପାରନ୍ତି । କମଲନାଥ ଗାନ୍ଧୀ ପରିବାର ପ୍ରତି ବହୁତ ବିଶ୍ୱସ୍ତ । ଅନ୍ୟପଟେ ତାଙ୍କୁ ଦାୟିତ୍ୱ ଦେଲେ ପାର୍ଟି ଉପରୁ ଗାନ୍ଧୀ ପରିବାରର ପ୍ରଭାବ ପୂର୍ବପରି ମଧ୍ୟ ଜାରି ରହିବ । ଅପରପକ୍ଷେ ବିଜେପି ବ୍ୟତୀତ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତାଙ୍କ ଅଭିଯୋଗ ଉପରେ ପୂର୍ଣ୍ଣଛେଦ ପଡିବ ଯେ, କଂଗ୍ରେସରେ ପରିବାର ରାଜ ଚାଲିଛି ।

Get real time updates directly on you device, subscribe now.