fbpx

ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି, କ’ଣ ରହିଛି ଚିଠିରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି । କାହା କଥାରେ କାହାର ତାଳମେଳ ରହୁନି । ମଙ୍ଗଳବାର ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଘଟଣାରେ ଆସିଛି ପୁଣି ଆଉ ଏକ ମୋଡ । ବିଦ୍ୟାଙ୍କର ଏକ ହାତଲେଖା ଚିଠି ଏବେ ଭାଇରାଲ ହେବାରେ ଲାଗିଛି । ଚିଠିରେ ବିଦ୍ୟା ନିଜ ସ୍ୱାମୀଙ୍କୁ ସବୁଠାରୁ ଅଧିକ ଘୃଣା କରୁଥିବା ଲେଖିଛନ୍ତି । କିନ୍ତୁ ମଙ୍ଗଳବାର କହିଥିଲେ ଯେ, ସେ ନିଜ ସ୍ୱାମୀଙ୍କୁ ଅଧିକ ଭଲ ପାଆନ୍ତି ।

ତେବେ ଭାଇରାଲ ହେଉଥିବା ଚିଠିରେ ବିଦ୍ୟା ଲେଖିଛନ୍ତି ଯେ, ‘ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ ମୋତେ କ୍ଷମା କରିଦିଅ । ଦୟାକରି ମୋ ଜୀବନ ନଷ୍ଟ କରନାହିଁ । କେମିତି ଆଉ ୩ ଦିନ କଟିବ । ଅନ୍ତତଃ ୧୨ରୁ ୧୫ ଦିନ ଶାନ୍ତିରେ ରହିବି ।’

ଏହା ସହ ଚିଠିରେ ଲେଖାଅଛି ଯେ, ‘ମୁଁ ଏ ମଣିଷକୁ ଅଧିକ ଘୃଣା କରେ । ମୋ ନାଁ ସହ ତାଙ୍କ ନାଁ ଯୋଡିବାକୁ ବି ମୁଁ ଘୃଣା କରୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ମୋ ଜୀବନରେ ଘଟିଛି । ମୋତେ କ୍ଷମା କରିଦିଅ । ମୁଁ କେବେ କାହାର କ୍ଷତି କରିନି କି କେବେ କାହାର କ୍ଷତି ଚାହିଁନି । କ’ଣ ପାଇଁ ମୋ ସହ… ।’ ବିଦ୍ୟା ଏହି ଚିଠି କେବେ ଲେଖିଥିଲେ, ତାହା ଜଣାପଡିନାହିଁ । କିନ୍ତୁ ସେ ହିଁ ଏହି ଚିଠି ଲେଖିଥିବା ସ୍ୱୀକାର କରିଛନ୍ତି । କିନ୍ତୁ ବିଦ୍ୟାଙ୍କ ଚିଠିରେ ଲେଖାଥିବା ‘କେମିତି ଆଉ ୩ ଦିନ କଟିବ’ ଶବ୍ଦକୁ ନେଇ ସନ୍ଦେହ କରାଯାଉଛି । କ’ଣ ଏହି ଚିଠି ସୌମ୍ୟଙ୍କ ମୃତ୍ୟୁର ୩ ଦିନ ପୂର୍ବରୁ ଲେଖାଯାଇଥିଲା କି? ଯାହାକୁ ନେଇ ପୋଲିସର ତନାଘନା ଜାରି ରହିଛି ।

ଅନ୍ୟପଟେ ବିଦ୍ୟା ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଘରୁ ମିଳିଥିବା କାଗଜ ସମ୍ପର୍କରେ ବିଦ୍ୟା କହିଛନ୍ତି ଯେ, ‘କାହାକୁ ଆପେକ୍ଷ କରି ଏମିତି ଲେଖିନଥିଲି । ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖିଦିଏ ।’ ଏହା ବ୍ୟତୀତ ହାତରେ ଧରିଥିବା ଲାଲ ପୁଟୁଳିକୁ ନେଇ ସେ କହିଛନ୍ତି ଯେ, ‘ହାତରେ କୌଣସି ଲାଲ ପୁଟୁଲି ନୁହେଁ ବରଂ ଗାମୁଛା ଧରିଥିଲି । ମେଡିକାଲ ଗଲା ବେଳେ ଆବଶ୍ୟକ ପଡ଼ିବ ଭାବି ନେଇଥିଲି । ଏଥିରେ କୌଣସି ଜିନିଷ ଲୁଚାଇ ରଖିନଥିଲି ।’ ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣିନଥିଲି ବୋଲି ବିଦ୍ୟା କହିଛନ୍ତି ।

Get real time updates directly on you device, subscribe now.