fbpx

ବର୍ଷାରେ ଭିଜି ଭିଜି ବିକ୍ଷୋଭ କଲେ ଡିଇଏଲ୍‌ଇଡି ଛାତ୍ରଛାତ୍ରୀ, ଘେରିଲେ ନବୀନ ନିବାସ  

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଇଏଲ୍‌ଇଡି ଶେଷବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୫ ସୁଦ୍ଧା ଘୋଷଣା କରାଯାଉ। ଏଭଳି ଦାବିରେ ସାରା ରାଜ୍ୟର ଡିଇଏଲ୍‌ଇଡି ଛାତ୍ରଛାତ୍ରୀ ରାଜଧାନୀରେ ବିକ୍ଷୋଭ କରିଛନ୍ତି। ବର୍ଷାରେ ଭିଜି ଭିଜି ନବୀନ ନିବାସ ଘେରାଉ ପାଇଁ ନିଖିଳ ଓଡ଼ିଶା ଡିଇଏଲ୍‌ଇଡି ଛାତ୍ର ସଂଘ ପ୍ରଥମେ ମାଷ୍ଟରକ୍ୟାଣ୍ଟିନଠାରେ ସମବେତ ହୋଇଥିଲେ।

ସଂଘର କହିବା ଅନୁସାରେ ଗତ ଜାନୁଆରୀ ୬ ତାରିଖରେ ଏନ୍‌ସିଇଆରଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ-୬୪ ବଳରେ ୩୦ ଜୁନ୍ ମଧ୍ୟରେ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଶିକ୍ଷାଦାନ ଓ ଇଣ୍ଟର୍ଣ୍ଣଶିପ୍ ଶେଷ କରିବାକୁ କୁହାଯାଇଥିଲା। ଏଥିସହ ବୋର୍ଡ ପରୀକ୍ଷା ଓ ଅଗଷ୍ଟରେ ଫଳ ପ୍ରକାଶ ପାଇଁ ନିର୍ଦ୍ଦେଶ ଥିଲା । ସେହି ଅନୁସାରେ ଜୁନ୍ ୩୦ ମଧ୍ୟରେ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣଶିପ୍ ସଫଳତାର ସହ ଶେଷ କରାଯାଇଛି । କିନ୍ତୁ ୧୩ ଜୁଲାଇରେ ପୁଣି ୩ ମାସିଆ ଇଣ୍ଟର୍ଣ୍ଣଶିପ୍ ପାଇଁ ଅଧ୍ୟୟନ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଇଛି । ଏହିପରି ପରିବର୍ଦ୍ଧିତ ଇଣ୍ଟର୍ଣ୍ଣଶିପ୍ ଅକ୍ଟୋବର ୧୦ ତାରିଖରେ ଶେଷ ହେବା ଦ୍ୱାରା ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାବେ ବିଳମ୍ବିତ ହେବ । ଏହି କାରଣରୁ ୟୁଜିସି ନିର୍ଦ୍ଦେଶାବଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ପହିଲାରୁ ଓ ନୂତନ ଶିକ୍ଷାବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଥିବାରୁ ଏହି ଛାତ୍ରଛାତ୍ରୀ ସେଥିରୁ ବଞ୍ଚିତ ହେବେ । ଏନେଇ ସରକାରଙ୍କୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କେହି ଶୁଣୁନାହନ୍ତି ବୋଲି ସଂଘ ଅଭିଯୋଗ କରିଛି।

ଅଖିଳ ଭାରତ ଛାତ୍ର ସଂଘ ସହବନ୍ଧିତ ନିଖିଳ ଓଡ଼ିଶା ଡିଇଏଲଇଡି ଛାତ୍ର ସଂଘର ରାଜ୍ୟ ସଭାପତି ଚନ୍ଦନ କୁମାର ବିଶ୍ୱାଳ, ଏଆଇଏସ୍‌ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସଂଘ ସମ୍ପାଦକ ମଳୟ ରଞ୍ଜନ ସ୍ୱାଇଁ, ଉପସଭାପତି ସରୋଜ ସାହୁ ଓ ଅଭିଜିତ୍ ସ୍ୱାଇଁ ପ୍ରମୁଖଙ୍କ ନେତଢ଼ୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଭାଗୀୟ ସଚିବଙ୍କୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ। ବିଭାଗୀୟ ଜରୁରୀ ବୈଠକ ଆହ୍ୱାନ କରାଯାଇଥିବା ଏବଂ ସପ୍ତାହକ ମଧ୍ୟରେ ପରୀକ୍ଷା ତାରିଖ ଘୋଷଣା କରି ଉଚ୍ଚ ଶିକ୍ଷା ପାଇଁ ଆବେଦନ ପୂର୍ବରୁ ଫଳ ପ୍ରକାଶନ ପାଇଁ ଗୁରୁତ୍ୱ ଦେବେ ବୋଲି ସଚିବଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନା ଦିଆଯାଇଛି ।

Get real time updates directly on you device, subscribe now.