fbpx

କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଧରାଶାୟୀ କଲେ, ହେଲେ ୨୨ ବର୍ଷ ପରେ ବି ପୂର୍ବତନ ସେନାଧ୍ୟକ୍ଷଙ୍କ ମନରେ ରହିଗଲା ବଡ ଅବଶୋଷ

ନୂଆଦିଲ୍ଲୀ : ବେଳେ ବେଳେ ବହୁତ ଭାବି ଚିନ୍ତି ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଭୁଲ୍ ହୋଇଯାଏ। ଏଥିରୁ କିଛି ଏମିତି ଭୁଲ୍ ହୋଇଯାଏ ଯାହା ଭବିଷ୍ୟତରେ ମଧ୍ୟ ଆମକୁ ବହୁତ ବିଚଳିତ କରିଥାଏ। ଇତିହାସର ସେହି ଭୁଲ୍ ଯେବେ ମନେ ପଡେ ମନରେ ବହୁତ କ୍ଷୋଭ ଆସିଥାଏ। କାରଗିଲ ଯୁଦ୍ଧକୁ ପୂରିଲା ୨୨ ବର୍ଷ। ୧୯୯୯ରେ ଗ୍ରୀଷ୍ମ ସମୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମୟରେ ଭାରତର ସେନା ମୁଖ୍ୟ ଥିଲେ ଜେନେରାଲ ଭିପି ମଲିକ। ମଲିକଙ୍କ ମତରେ କାରଗିଲ ଯୁଦ୍ଧ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କର ରୂପ ରେଖକୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲା। ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ଧରାଶାୟୀ କରିଥିଲା। କାରଗିଲ ଯୁଦ୍ଧ ତ ଭାରତ ଜିତିଗଲା ହେଲେ  ଆଜି ବି ଜେନେରାଲ ମଲିକଙ୍କ ମନରେ ବଡ ଅବଶୋଷ ରହିଗଲା। ଜେନେରାଲ ମଲିକ କହିଛନ୍ତି, ଅସ୍ତ୍ରବିରତି ଘୋଷଣା କରିବା ପୂର୍ବରୁ ଭାରତ ସରକାରଙ୍କୁ ନିଜର ସେନାକୁ ଏଲଓସି ସଂଲଗ୍ନ ପାକିସ୍ତାନୀ ଅଞ୍ଚଳ ଉପରେ କବଜା କରିବାକୁ ଅନୁମତି ଦେବାର ଥିଲା।

ଟାଇମ୍ସ ଅଫ ଇଣ୍ଡିଆ ସହ ଆଲୋଚନା  ବେଳେ ଜେନେରାଲ ଭିପି ମଲିକ କହିଛନ୍ତି, ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା ଆମକୁ କିଛି ଜଣାନଥିଲା ଏବଂ ଆମକୁ ପାକିସ୍ତାନ ପକ୍ଷରୁ ଉତ୍ପନ ଅପ୍ରତ୍ୟାଶିତ ଯୁଦ୍ଧ ସ୍ଥିତିର ସମ୍ମୁଖୀନ କରୁଥିଲୁ। ଗୁଇନ୍ଦା ଏଜେନ୍ସି ଓ ସର୍ଭିଲାନ୍ସର ବିଫଳତା କାରଣରୁ ସରକାର ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ନେଇ ବହୁତ ଭ୍ରମ ସ୍ଥିତିରେ ଥିଲେ। ଆମର ଆଗ ଧାଡିର ଗୁଇନ୍ଦା ଅନୁପ୍ରବେଶକାରୀଙ୍କ ସନ୍ଧାନ କରିବାରେ ବିଫଳ ହୋଇଥିଲେ। ଫଳରେ ଆମକୁ ସେମାନଙ୍କର ସ୍ଥାନ ବିଷୟରେ କିଛି ଜଣା ନଥିଲା। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ  ଲଢେଇ ପରେ  ଭାରତୀୟ ସେନା କାରଗିଲରେ ନିଜର ବିଜୟକୁ ନେଇ ଆଶ୍ଵସ୍ତ ହୋଇଥିଲା। ହେଲେ ସରକାରଙ୍କୁ ସଂଘର୍ଷ ବିରତି ଘୋଷଣା କରିବା ପୂର୍ବରୁ ନିଜର ସେନାକୁ ନିୟନ୍ତ୍ରଣ ରେଖା(ଏଲଓସି) ସଂଲଗ୍ନ କିଛି ପାକିସ୍ତାନୀ ଅଞ୍ଚଳ କବଜା କରିବାକୁ ଅନୁମତି ଦେବାର ଥିଲା।

ଜେନେରାଲ ଭିପି ମଲିକ କହିଛନ୍ତି, କେମିତି କାରଗିଲ ଯୁଦ୍ଧ ଭାରତ-ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧିତ ସଂପର୍କ ପାଇଁ କେମିତି ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା। ପାକିସ୍ତାନର ଏମିତି ହୀନ କାର୍ଯ୍ୟ ପରେ ଭାରତର ଉକ୍ତ ପଡୋଶୀ ଦେଶ ଉପରୁ ଭରସା ସଂପୂର୍ଣ୍ଣ ଉଠି ଯାଇଥିଲା। ଭାରତକୁ ସେହି ସମୟରେ ମଧ୍ୟ ଜଣା ଥିଲା ଯେ, ପାକିସ୍ତାନ ସହଜରେ କୌଣସି ବି ରାଜିନାମାକୁ ଉଲ୍ଲଂଘନ କରିପାରେ। ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଏହା ବହୁତ  ବଡ ଝଟକା ଥିଲା। ତାଙ୍କୁ ଏହା ବୁଝିବାକୁ କିଛି ସମୟ ଲାଗିଗଲା ଯେ, ଅନୁପ୍ରବେଶକାରୀ ପାକିସ୍ତାନର ସାଧାରଣ ନାଗରିକ ନଥିଲେ ବରଂ ସେଠାକାର ସେନାର ଯବାନ ଥିଲେ। ବାଜପେୟୀ ସେହି ସମୟରେ ପାକିସ୍ତାନର ସମକକ୍ଷ ନଓ୍ଵାଜ ଶରିଫଙ୍କୁ କହିଥିଲେ ଯେ, ଆପଣ ଆମ ପିଠିରେ ଛୁରି ଭୁଶି ଦେଲେ।

ମୁମ୍ବାଇ ୨୬/୧୧ ଆତଙ୍କୀ ଆକ୍ରମଣକୁ ନେଇ ଜେନେରାଲ ମଲିକ କହିଛନ୍ତି, ଯଦି ପାକିସ୍ତାନ ପୁନର୍ବାର ଏମିତି ଭୁଲ କରେ ତେବେ ଭାରତକୁ ମୁହଁତୋଡ ଜବାବ ଦେବା ଉଚିତ୍। ଏଥିରେ ପାକିସ୍ତାନ ମନରେ ଭୟ ଉତ୍ପନ ହେବ। ଆଉ ଯେମିତି ଭବିଷ୍ୟତରେ ଏମିତି ଦୁଃସାହାସ କରିବାକୁ ସାହାସ ହେବ ନାହିଁ।

 

Get real time updates directly on you device, subscribe now.