fbpx

ଆସନ୍ତାକାଲିଠୁ ପ୍ରଥମ ଟେଷ୍ଟ: ଭାରତ ପାଇଁ ଚିନ୍ତା ଓପନିଂ ଯୋଡି, ୩ ବର୍ଷ ପୂର୍ବେ ନର୍ଟିଂଘମରେ ଇଂଲଣ୍ଡକୁ ମାତ୍ ଦେଇଥିଲା ଦଳ

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚର ଟେଷ୍ଟ ସିରିଜ ବୁଧବାରଠୁ ଆରମ୍ଭ ହେଉଛି । ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ନୂତନ ସିଜିନର ପ୍ରଥମ ସିରିଜ୍ ହେବାକୁ ଯାଉଛି । ତେଣୁ ଭାରତ ଓ ଇଂଲଣ୍ଡ ବିଜୟ ସହ ସିଜିନ ଆରମ୍ଭ କରିବାକୁ ଚାହିଁବେ । ୨୦୧୮ରେ ଯେବେ ଭାରତୀୟ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଖେଳିଥିଲା, ଦଳକୁ ୧-୪ରେ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଖରାପ ରେକର୍ଡକୁ ପଛରେ ପକାଇବାକୁ ଚାହିଁବେ ।

ନର୍ଟିଂଘମରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଖେଳାଯିବ । ଏ ପର୍ଯ୍ୟନ୍ତ ଏହି ପଡିଆରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୋଟ୍ ୭ ଟେଷ୍ଟ ଖେଳାଯାଇଛି । ୨ଟିରେ ଇଂଲଣ୍ଡ ବିଜୟୀ ହୋଇଥିବା ବେଳେ ଭାରତ ୨ଟି ମ୍ୟାଚ୍ ଜିତିଛି । ୩ଟି ମୁକାବିଲା ଡ୍ର ରହିଛି । ୨୦୧୮ରେ ଭାରତ ସିରିଜ୍ ହାରିଥିଲେ ମଧ୍ୟ ଏହି ମଇଦାନରେ ଖେଳାଯାଇଥିବା ଟେଷ୍ଟକୁ ଭାରତ ବଡ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲା । ତେଣୁ ଏହି ପଡିଆରେ ଭାରତର ପଲ୍ଲା ଭାରି ରହିଛି ।

୨୦୧୮ ଅଗଷ୍ଟରେ ଖେଳାଯାଇଥିବା ଏହି ମୁକାବିଲାରେ ଅଧିନାୟକ ବିରାଟ କୋହଲି ପ୍ରଥମ ଇନିଂସରେ ୯୭ ଏବଂ ଦ୍ୱିତୀୟ ଇନିଂସରେ ୧୦୩ ରନ କରିଥିଲେ । ଭାରତ ପ୍ରଥମ ଇନିଂସରେ ୩୨୯ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩୫୨/୭ରେ ଇନିଂସ ଘୋଷଣା କରିଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ୧୬୧ ଓ ଦ୍ୱିତୀୟ ଇନିଂସରେ ୩୧୭ରେ ଅଲଆଉଟ୍ ହୋଇଥିଲା । ଏହି ପରି ଭାରତ ଉକ୍ତ ମ୍ୟାଚରେ ୨୦୩ ରନରେ ବିଜୟୀ ହୋଇଥିଲା ।

ଭାରତ ପାଇଁ ଚିନ୍ତା ଓପନିଂ ଯୋଡି

ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତକୁ ଦୁଇଟି ବଡ ଝଟକା ଲାଗି ସାରିଛି । ଓପନର ବ୍ୟାଟସମ୍ୟାନ ଶୁବମାନ ଗିଲ୍ ଆହତ ହୋଇ ସ୍ୱଦେଶ ଫେରି ଆସିଥିବା ବେଳେ ମୟଙ୍କ ଅଗ୍ରୱାଲ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡିଛନ୍ତି । ତେଣୁ ଭାରତ ପାଇଁ ଏବେ ଓପନିଂ ଯୋଡି ଚିନ୍ତାର କାରଣ ପାଲିଟିଛି । ରୋହିତ ଶର୍ମାଙ୍କ ସହିତ କିଏ ଓପନିଂ କରିବ ତାକୁ ନେଇ ବଡ ପ୍ରଶ୍ନ ? ଦଳ ପ୍ରବନ୍ଧକ କେଏଲ ରାହୁଲ ଓ ହନୁମା ବିହାରୀଙ୍କ ମଧ୍ୟରୁ ଜଣଙ୍କୁ ଓପନିଂ ପାଇଁ ସୁଯୋଗ ଦେଇପାରେ । କେଏଲ ରାହୁଲ ଓପନର ଭାବେ ଟେଷ୍ଟରେ ୫ ଶତକ ଅର୍ଜନ କରି ସାରିଛନ୍ତି । ତେଣୁ ଦଳ ପ୍ରବନ୍ଧକ ତାଙ୍କୁ ସୁଯୋଗ ଦେଇ ପାରନ୍ତି ।

ଦୁଇ ସ୍ପନ ବୋଲର ସହ ପଡିଆକୁ ଓହ୍ଲାଇପାରେ ଦଳ

ମ୍ୟାଚରେ ଭାରତୀୟ ଦଳ ଦୁଇ ଜଣ ସ୍ପିନ ବୋଲରଙ୍କ ସହ ପଡିଆକୁ ଓହ୍ଲାଇପାରେ । ଅଫ ସ୍ପିନର ଆର ଅଶ୍ୱିନ ଓ ବାମହାତୀ ବୋଲର ରବୀନ୍ଦ୍ର ଜାଡେଜାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନରେ ସ୍ଥାନ ମିଳିପାରେ । ଦୁଇ ଖେଳାଳି ଭଲ ବ୍ୟାଟିଂ ମଧ୍ୟ କରି ପାରନ୍ତି । ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ଇଶାନ୍ତ ଶର୍ମା ପଡିଆକୁ ଓହ୍ଲାଇ ପାରନ୍ତି ।

ଇଂଲଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ମୟଙ୍କ ଅଗୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷଭ ପନ୍ତ, ଆର ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, କେଏଲ ରାହୁଲ, ଋଦ୍ଧିମାନ ଶାହା, ଅଭିମନ୍ୟୁ ଈଶ୍ୱରନ, ପୃଥ୍ୱୀ ଶ, ସୂର୍ଯ୍ୟକୁମାର ଯାଦବ ।

ପ୍ରଥମ ୨ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋନି ବେୟାରଷ୍ଟୋ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ, ରରି ବନର୍ସ, ଜୋସ୍ ବଟଲର, ଜ୍ୟାକ କ୍ରାଉଲି, ସାମ କରନ, ହସିବ ହମିଦ, ଡାନ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଅଲି ରବିନସନ, ଡମ ସିବଲି, କ୍ରେଗ ଓଭରଟନ ଓ ମାର୍କ ଉଡ ।

 

Get real time updates directly on you device, subscribe now.