fbpx
BSKY
BJD SHG SKY
BJD YOUTH SKY

ବଲିଉଡ୍ ରେ ପୁଣି ଦୁଃଖ, ଚାଲିଗଲେ ଆଉଜଣେ ଚର୍ଚ୍ଚିତ କଳାକାର

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଅଭିନେତା ଅନୁପମ ଶ୍ୟାମ୍ ଟେଲି ଦୁନିଆରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ । ଉଭୟ ପରଦାରେ ନିଜର ନିଚ୍ଛକ ଅଭିନୟ ଯାଦୁ ଦେଖାଇଥିବା ଏହି ଅଭିନେତା ‘ପ୍ରତିଜ୍ଞା’ ଧାରାବାହିକରେ ଠାକୁର ସଜ୍ଜନ ସିଂହ ନାମରେ ଖୁବ୍ ଲୋକପ୍ରିୟ । ତେବେ ୬୩ ବର୍ଷ ବୟସରେ ସେ ଏ ଦୁନିଆକୁ ଚିର ବିଦାୟ କହିଦେଇଛନ୍ତି । ତାଙ୍କ ବିୟୋଗରେ ବଲିଉଡ୍ ଓ ଟେଲିଭିଜନ୍ ଜଗତରେ ଗଭୀର ଦୁଃଖ ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଆଇସିୟୁ ଭେଣ୍ଟିଲେଟର୍ ସପୋର୍ଟରେ ସେ ରହିଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଅନୁପମଙ୍କ ମଲ୍ଟିପଲ୍ ଅର୍ଗାନ୍ ଫେଲୋୟର୍ ଯୋଗୁଁ ପ୍ରାଣ ଚାଲି ଯାଇଥିବା ଡାକ୍ତର କହିଛନ୍ତି । ତେବେ ତାଙ୍କ ପାର୍ଥିବ ଶରୀର ଓ ଅନ୍ତିମ ସଂସ୍କାରକୁ ନେଇ କିଛି ଫଟୋ ସୋମବାର ସାମ୍ନାକୁ ଆସିବା ପରେ ଅଭିନୟ ଜଗତ ସହିତ ଜଡ଼ିତ ବହୁ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି । ଗୋରେଗାଁଓର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବାବେଳେ ଯଶପାଲ୍ ଶର୍ମା, ସଞ୍ଜୟ ମିଶ୍ରା ଓ ଆଦିତ୍ୟ ଶ୍ରୀବାସ୍ତବଙ୍କ ଭଳି ବହୁ ଷ୍ଟାର୍ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରଥମ ଲକଡାଉନ୍ କାଳରେ ଅନୁପମଙ୍କ କିଡନୀ ସମସ୍ୟା ଦେଖାଦେବାରୁ ହସପିଟାଲ୍ରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସା ପରେ ସେ ନିଜ ଶୁଟିଂକୁ ମଧ୍ୟ ଫେରିଥିଲେ । ନିୟମିତ ଡାଏଲିସିସ୍ କରାଉଥିଲେ । ପରେ ସ୍ୱାସ୍ଥ୍ୟ ସମସ୍ୟା ବିଗିଡ଼ି ଯାଇଥିଲା ଏବଂ ତାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିଲେ ।

ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ରହୁଥିବା ଅନୁପମ ୧୯୯୩ରେ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ‘ମନ କି ଆୱାଜ ପ୍ରତିଜ୍ଞା’ ବ୍ୟତୀତ ‘ରିସ୍ତେ’, ‘ଡୋଲି ଅରମାନୋଁ କି’, ‘କୃଷ୍ଣା ଚଲି ଲଣ୍ଡନ’ ଏବଂ ‘ହମ୍ ନେ ଲେ ଲି ଶପଥ‘ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ ଦକ୍ଷତା ଦେଖାଇଥିଲେ । ଖାଲି ସେତିକି ନୁହେଁ, ସିରିଏଲ୍ ବ୍ୟତୀତ ‘ଦସ୍ତକ’, ‘ଦିଲ୍ ସେ’, ‘ଲଗାନ’, ‘ଗୋଲମାଲ’ ଓ ‘ମୁନ୍ନା ମାଇକେଲ’, ‘ବ୍ୟାଣ୍ଡିଟ୍ କ୍ୱିନ୍’, ‘ସ୍ଲମଡଗ୍ ମିଲେନିୟର୍’, ‘ଦ ୱାରିୟର୍’, ‘ଥ୍ରେଡ୍’, ‘ଶକ୍ତି’, ‘ହଲ୍ଲା ବୋଲ୍’, ‘ରକ୍ତଚରିତ’ ଏବଂ ‘ଜୟ ଗଙ୍ଗା’ ଭଳି ସଫଳ ତଥା ହିଟ୍ ଚଳଚ୍ଚିତ୍ରରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସକଙ୍କ ହୃଦୟ ଜିଣିବାରେ ସମର୍ଥ ହୋଇଥିଲେ ।

Get real time updates directly on you device, subscribe now.