କିଏ ଏହି ବର୍ଣ୍ଣାର୍ଡ ଆରନଲ୍ଟ, ଜେଫ୍ ବେଜୋସଙ୍କୁ ହଟାଇ ପାଲଟିଲେ ବିଶ୍ୱର ନମ୍ବର ୱାନ୍ ଧନୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ସମୟରେ ନମ୍ବର ୧ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଥାଏ । ତେବେ ବର୍ତ୍ତମାନ ସମୟରେ ଜେଫ୍ ବେଜୋସଙ୍କୁ ହଟାଇ ବର୍ଣ୍ଣାର୍ଡ ଆରନଲ୍ଟ ଏହି ସ୍ଥାନ ଅଧିକାର କରିନେଇଛନ୍ତି । ଫ୍ରାନ୍ସର ଏହି ବିଖ୍ୟାତ ବିଜିନେସ୍ ମ୍ୟାନଙ୍କ ବିଷୟରେ ହୁଏତ ଅଧିକାଂଶ ଲୋକ ଭଲଭାବରେ ଅବଗତ ନଥିବେ । ଆସନ୍ତୁ ଜାଣିବା ଆରନଲ୍ଟଙ୍କ ବିଷୟରେ କିଛି ।

ଫ୍ରାନ୍ସର ଲକଜୁରୀ ଗୁଡ୍ସ କମ୍ପାନୀ ଏଲଭିଏମଏଚର ଚେୟାରମ୍ୟାନ ହେଉଛନ୍ତି ଆରନଲ୍ଟ । ରିପୋର୍ଟ ମୁତାବକ, ଆରନଲ୍ଟ ଓ ତାଙ୍କର ପରିବାରର ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୯୭.୪ ଅରବ ଡଲାର ଅର୍ଥାତ ପ୍ରାୟ ୧୪.୬୫ ଲକ୍ଷ କୋଟି । ଅପରପକ୍ଷେ ଧନୀ ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଥିବା ବେଜୋସଙ୍କର ମୋଟ ସମ୍ପତ୍ତିର ପରିମାଣ ୧୯୩.୩ ଅରବ ଡଲାର ରହିଛି । ଗତ ୨୦୧୯ ମସିହାରେ ଆରନଲ୍ଟ ୧୦୦ ଅରବ ଡଲାର କ୍ଲବରେ ସାମିଲ ହୋଇଥିଲେ । ସେ ବିଲ୍ ଗେଟ୍ସ ଓ ଜେଫ୍ ବେଜୋସଙ୍କ ପରେ ବିଶ୍ୱର ତୃତୀୟ ବ୍ୟକ୍ତି ଭାବେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ ।

ଆରନଲ୍ଟ ଓ ତାଙ୍କର ପରିବାର ପାଖରେ ବର୍ତ୍ତମାନ ଏଲଭିଏମଏଚ କମ୍ପାନୀର ୪୭ ପ୍ରତିଶତ ଶେୟାର ରହିଛି । ପୂର୍ବରୁ ୨୦୧୯ ଡିସେମ୍ବର, ୨୦୨୦ ଜାନୁଆରୀ ଓ ୨୦୨୧ ମେରେ ସେ ତିନି ଥର ୧ ନମ୍ବର ସ୍ଥାନରେ ରହିଥିଲେ । ଫ୍ରାନ୍ସର ଫେଶନ୍ ଟାଇକୁନ୍ ଆରନଲ୍ଟଙ୍କ ପାଖରେ ଅନେକ ପ୍ରସିଦ୍ଧ ବ୍ରାଣ୍ଡ ରହିଛି । ସେଗୁଡ଼ିକ ମଧ୍ୟରେ ଫେଣ୍ଡି, ଖ୍ରୀଷ୍ଟିଆନ ଡିଅର, ଗିଭେଞ୍ଚି ଅନ୍ୟତମ । ୭୨ ବର୍ଷୀୟ ଆରନଲ୍ଟ ଲୁଇ ଭୁଇଟନ ଓ ସେଫୋରା ପରି ୭୦ ବ୍ରାଣ୍ଡର ସାମ୍ରାଜ୍ୟ ସମ୍ଭାଳୁଛନ୍ତି । ଖ୍ରୀଷ୍ଟିଆନ ଡିଅରରେ ଆରନଲ୍ଟଙ୍କ ୯୬.୫ ପ୍ରତିଶତ ଶେୟାର ରହିଥିବା ଜଣାପଡ଼ିଛି ।